ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ନୀଳକନ୍ଦର ସାହିର ଜଣେ ପ୍ରସୂତି ମହିଳାଙ୍କୁ ଚିକିତ୍ସାରେ ଅବହେଳା କରାଯାଇଥିବା ତାଙ୍କ ସ୍ଵାମୀ ଅଭିଯୋଗ କରିଛନ୍ତି। ବାଲିଗୁଡ଼ା ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ସମୟରେ ମହିଳାଙ୍କ ହାତରେ ସାଲାଇନ ଛୁଞ୍ଚି ଭାଙ୍ଗି ରହିଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଗତ ୫ ତାରିଖ ଦିନ ଦାରିଙ୍ଗବାଡ଼ି ଗ୍ରାମ ନିଳକନ୍ଦର ସାହିର ନିବାସୀ ସରୋଜ କୁମାର ସାହୁ ତାଙ୍କ ସ୍ତ୍ରୀ ଯାଜ୍ଞସେନୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ସରୋଜ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ଡାକ୍ତରଖାନାରେ ସେମାନଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ଡାକ୍ତରଖାନାରେ କାର୍ୟ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ଅସାବଧାନତା ଯୋଗୁଁ ସାଲାଇନ୍ ବାହାର କରିବା ବେଳେ ଯାଜ୍ଞସେନୀଙ୍କ ହାତରେ ସାଲାଇନ୍ ଛୁଞ୍ଚିଟି ଭାଙ୍ଗି ରହିଯାଇଛି। ତେବେ ଯାଜ୍ଞସେନୀ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ସରୋଜ ଡାକ୍ତରଙ୍କୁ ଏବବାଦରେ ଅଭିଯୋଗ କରିବା ପରେ ସେଠାରେ ଏହାର ଚିକିତ୍ସା କରାଯାଇପାରିବ ନାହିଁ, ତାଙ୍କୁ ଫୁଲବାଣୀ ଡାକ୍ତରଖାନାକୁ ନେଇଯାଅ କହି ତାଙ୍କୁ ସ୍ଥାନାନ୍ତର କରିଦେଇଛନ୍ତି।
ସୂଚନା ଅନୁସାରେ ଏହିଭଳି ଘଟଣା ବାଲିଗୁଡାରେ ପ୍ରଥମ ନୁହେଁ। ପୂର୍ବରୁ ଅନେକ ଥର ଏଭଳି ଘଟଣା ଘଟିଆସିଛି। କାହା ହାତରୁ ଛୁଞ୍ଚି ସେମିତି ବାହାରିଛି ତ ଅନେକଙ୍କୁ ଅପରେସନରେ କରି ଛୁଞ୍ଚି ବାହାର କରାଯାଇଛି। ଘଟଣା ସମ୍ପର୍କରେ ବାଲିଗୁଡ଼ା ମେଡିକାଲ୍ ସୁପରିଟେଣ୍ଡେଣ୍ଟଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନଥିବା ଅଭିଯୋଗ ହୋଇଛି।
ବିଭିନ୍ନ ସମୟରେ ଏଠାରେ ଚିକିତ୍ସାରେ ଅବହେଳା ଯୋଗୁଁ ଅନେକ ନିରୀହ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ଏନେଇ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରିଣୀ ଡ. ରାସେଶ୍ୱରୀ ପଟ୍ଟନାୟକଙ୍କୁ ପଚାରିବାରୁ ସେ ନିଜ ପ୍ରତିକ୍ରିୟାରେ ଡାକ୍ତରଖାନାକୁ ଆସୁଥିବା ସମସ୍ତ ଔଷଧ ପତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ସରକାର ପଠାଉଛନ୍ତି। ଆମେ କୌଣସି ବାହାର ସାମଗ୍ରୀ ବ୍ୟବହାର କରୁନାହୁଁ କିନ୍ତୁ ଆସିଥିବା ଛୁଞ୍ଚିରେ କିଛି ସମସ୍ୟା ରହିଛି ଏଥିସହିତ ଆଉ କିଛି ଏହିଭଳି ଘଟଣା ମଧ୍ୟ ଆମ ନଜରକୁ ଆସିଛି। ଏନେଇ ଆମେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି।