ବଲାଙ୍ଗିର ଉପଜିଲ୍ଲାପାଳଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଉପଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କ ନାଁରେ ଜଣେ ସରକାରୀ ମହିଳା କର୍ମଚାରୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ଏନେଇ ମହିଳା ଜଣଙ୍କ ୩ ଫର୍ଦ୍ଦର ଅଭିଯୋଗ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପ୍ରଦାନ କରିଛନ୍ତି। ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଉପଜିଲ୍ଲାପାଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ଉକ୍ତ ମହିଳା ଜଣକ ଧମକ ଦେଇଛନ୍ତି। ଜିଲ୍ଲାପାଳ ଶ୍ରୀ ଡାକୁଆ କହିଛନ୍ତି ଯେ, ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଅନ୍ୟପଟେ ଉପଜିଲ୍ଲାପାଳ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିବା ସହିତ ଭିତ୍ତିହୀନ ବୋଲି କହିଛନ୍ତି। ଜରୁରୀକାଳୀନ ଡ୍ୟୁଟି ବଣ୍ଟନ ସମୟରେ କିଛି କର୍ମଚାରୀ ଅସନ୍ତୁଷ୍ଟ ଥିଲେ । ଏଥିସହିତ ସହରରେ ଚାଲିଥିବା ଜବରଦଖଲ ଉଚ୍ଛେଦକୁ ନେଇ ମଧ୍ୟ ତାଙ୍କ ଉପରେ କିଛି ଲୋକ ଅସନ୍ତୁଷ୍ଟ ରହିଛନ୍ତି । ସେମାନେ ହିଁ ଷଡ଼ଯନ୍ତ୍ର କରିଥାଇପାରନ୍ତି ବୋଲି ଉପଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି।