ଏମ୍ସ ନର୍ସିଙ୍ଗ ଟ୍ରେନିଂ ସ୍କୁଲ ନାମରେ ଛାତ୍ରୀଙ୍କୁ ଠକେଇ ଅଭିଯୋଗ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗଡ଼ିଆ ସାହିରେ ଏମ୍ସ ନର୍ସିଂ ସ୍କୁଲ ନାମରେ ଏକ ଅଣପଞ୍ଜିକୃତ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ଗ୍ରାମାଞ୍ଚଳର ଯୁବତୀଙ୍କୁ ଉକ୍ତ ନର୍ସିଂ ବିଦ୍ୟାଳୟର ନିର୍ଦ୍ଦେଶକ ଠକେଇ କରିଥିବା ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ମିଳିଥିବା ରିପୋର୍ଟ ମୁତାବିକ, ଟିଙ୍କବିର ଗ୍ରାମର ସିଧେଶ୍ୱର ସାହୁଙ୍କ ପୁଅ ପ୍ରଶାନ୍ତ କୁମାର ସାହୁ ଗତ ୨୦୧୭ ମସିହାରେ ଏମ୍ସ ନର୍ସିଂ ସ୍କୁଲ ଖୋଲି ନିଜକୁ ଉକ୍ତ ସ୍କୁଲର ନିର୍ଦ୍ଦେଶକ ବୋଲି ପରିଚୟ ଦେଇଥିଲେ। ସେହିପରି ଲିଫଲେଟ ମାଧ୍ୟମରେ ଉକ୍ତ ସ୍କୁଲରେ ନାମ ଲେଖାଇବା ପାଇଁ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରଚାର କରି ଯୁବତୀଙ୍କୁ ଆକର୍ଷିତ କରିଥିଲେ। ବିଜ୍ଞାପନକୁ ବିଶ୍ୱାସ କରି ଗମ୍ଭାରୀପଶି ଗ୍ରାମର ସାରଥୀ ନାୟକଙ୍କ ଝିଅ ବାସନ୍ତି ନାୟକଙ୍କ ସମେତ ସେହି ଗ୍ରାମର ଅହଲ୍ୟା ନାୟକ, ସୁନ୍ଦରଗଡ଼ ଜିଲ୍ଲା ଟିକାୟତ ପାଲି ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମର ପଦ୍ମିନୀ କିସାନ, ବୁଢ଼ୀବାହାଳ ଗ୍ରାମର ସସ୍ମିତା କିସାନ, କନଛୋଡ଼ା ଗ୍ରାମର ସୁଜାତା ସାହୁ, ବାଘିଆବନ୍ଧ ଗ୍ରାମର ଝରଣା ପ୍ରଧାନ ଓ ଭାଲୁପାଲି ଗ୍ରାମର ଲକ୍ଷ୍ମୀ ମୁଣ୍ଡାଙ୍କ ସମେତ ଅନେକ ଯୁବତୀ ଉକ୍ତ ନର୍ସିଂ ସ୍କୁଲରେ ବର୍ଷକର ପାଠ୍ୟକ୍ରମ ପାଇଁ ବିଭିନ୍ନ କିସ୍ତିରେ ୨୫ ହାଜର ୫୦୦ ଟଙ୍କା ଲେଖାଏଁ ଜମା କରିଥିଲେ। ପରେ ତାଲିମ ଗ୍ରହଣ କରିଥିବା ଛାତ୍ରୀମାନେ ବିଭିନ୍ନ ସ୍ଥାନରେ ଚାକିରି ପାଇଁ ଆବେଦନ କରିଥିଲେ ମଧ୍ୟ ସାର୍ଟିଫିକେଟ କୌଣସି ବିଶ୍ୱବିଦ୍ୟାଳୟ ସ୍ୱୀକୃତିପ୍ରାପ୍ତ ନଥିବାରୁ ସେମାନଙ୍କୁ ଇଣ୍ଟିମେଶନ କାର୍ଡ ବି ଆସୁନଥିଲା । ଏନେଇ ଛାତ୍ରୀମାନେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ସାହୁଙ୍କୁ ବିଭିନ୍ନ ସମୟରେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁନଥିବାରୁ ସେମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ତେବେ ଗ୍ରାମାଞ୍ଚଳର ଗରିବ ଆଦିବାସୀ ଶ୍ରେଣୀର ଯୁବତୀମାନେ ବହୁ କଷ୍ଟରେ ଟଙ୍କା ଯୋଗାଡ଼ କରି ଚାକିରି ଆଶାରେ ବର୍ଷିକିଆ ପାଠ୍ୟକ୍ରମ ପାଇଁ ନାମ ଲେଖାଇ ଠକେଇର ଶିକାର ହେବା ପରେ ଶେଷରେ ନ୍ୟାୟ ପାଇଁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଉକ୍ତ ବିଦ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ ସମେତ ହତ୍ୟା ଉଦ୍ୟମ ଅଭିଯୋଗରେ ଗତ ଏପ୍ରିଲ ୨୮ତାରିଖରେ ଦେବଗଡ଼ ଥାନା ପୁଲିସ ପ୍ରଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।