ରାଜ୍ୟରେ ଅବ୍ୟବହୃତ ସମ୍ପତ୍ତିକୁ ମିଶନ ଶକ୍ତିକୁ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାର ବ୍ଲକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘମାନଙ୍କୁ ୨ ମାସ ମଧ୍ୟରେ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ମାନଙ୍କରେ ରହିଛି ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି।

ଯଥା ସରକାରୀ କୋଠା, ଦୋକାନ ଘର, ଗଡ଼ିଆ ପୋଖରୀ ଇତ୍ୟାଦିକୁ ସମ୍ପୃକ୍ତ ଜିଲ୍ଲା ବ୍ଲକ ଓ ପଞ୍ଚାୟତରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଗଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଏହାକୁ ସେ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ଲଗାଇ ପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମହିଳାମାନଙ୍କ ସଶକ୍ତୀକରଣ ସବୁବେଳେ ତାଙ୍କ ସରକାରର ପ୍ରାଥମିକତା ରହିଆସିଛି। ମିଶନ ଶକ୍ତି ଆଜି ପରିବର୍ତ୍ତନର କର୍ଣ୍ଣଧାର ହୋଇଛି। ମା’ ମାନଙ୍କର ଏହି ନିରବ ଆନ୍ଦୋଳନକୁ ଆହୁରି ମଜବୁତ କରିବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।