କରୋନା ଭୟରେ ପର୍ଯ୍ୟଟକଙ୍କୁ ପୁରୀ ମନା, ବାତିଲ ହେଲା ସମସ୍ତ ଟ୍ରାଭେଲର୍ସ ବୁକିଂ

ପୁରୀ,ଏନ୍ଏନ୍ଏସ୍: କରୋନା ଭାଇରସ୍ ପାଇଁ ବର୍ତ୍ତମାନ ପର୍ଯ୍ୟଟକଙ୍କୁ ପୁରୀ ମନା। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା ଜାରି ହୋଇଛି। ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଟ୍ରାଭେଲ୍‌ ଏଜେନ୍ସୀ ଓ ଟୁର୍‌ ଅପରେଟରଙ୍କ ସହ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା।

ପୁରୀରୁ ସାତପଡ଼ା, ଭୁବନେଶ୍ୱର, ଚନ୍ଦ୍ରଭାଗା, କୋଣାର୍କ ଓ କାକଟପୁର ରୁଟରେ ଚଳାଚଳ କରୁଥିବା ସମସ୍ତ ଟୁରିଷ୍ଟ ବସକୁ ବାତିଲ କରାଯାଇଛି। ଦଳଗତ ଭାବେ ପର୍ଯ୍ୟଟକ ଟୁରିଷ୍ଟ ବସରେ ଦର୍ଶନୀୟ ସ୍ଥାନ ଯିବା ଉପରେ ଲାଗିଛି କଟକଣା। ହୋଟେଲ୍‌ କିମ୍ବା ଲଜ୍‌ରେ ରହୁଥିବା ପେୟିଂ ଗେଷ୍ଟଙ୍କ ସମ୍ପର୍କରେ ସୂଚନା ଦେବା ସହ ସନ୍ଦିଗ୍ଧଙ୍କ ସମ୍ପର୍କରେ ପୁଲିସ ଓ ପର୍ୟ୍ୟଟନ ବିଭାଗକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶର ଖିଲାପ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି। ପ୍ରତିବର୍ଷ ଏହି ସିଜିନରେ ପ୍ରତିଦିନି ପୁରୀରୁ ପ୍ରାୟ ୮ ଶହ ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନ ସ୍ଥାନ ବୁଲିଥାନ୍ତି। କରୋନା କଟକଣା ଦ୍ୱାରା ଏହା ପ୍ରଭାବିତ ହେବ।