ବିଏସ୍‍ଇ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ବିଏସ୍‍ଇ), ଓଡ଼ିଶା ପକ୍ଷରୁ ଫେବୃଆରୀ ୧୯ ତାରିଖ ଠାରୁ ହେବାକୁଥିବା ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ଶେଷ ହୋଇଯାଇଛି। ଏ ସମ୍ପର୍କରେ ବିଏସ୍‍ଇର ସଭାପତି ରାମାଶିଶ ହଜରା ବୋର୍ଡ ମୁଖ୍ୟାଳୟରେ ଶୁକ୍ରବାର ସନ୍ଧ୍ୟାରେ ଏକ ପ୍ରେସ ମିଟରେ ସୂଚନା ଦେଇଛନ୍ତି। ଏହି ସମୟରେ ବିଏସ୍‍ଇ ସମ୍ପାଦକ ଶ୍ରୀକାନ୍ତ କୁମାର ତରାଇ ଏବଂ ପରୀକ୍ଷା ପରିଚାଳକ ନିହାର ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।  

ବିଏସ୍‍ଇର ସୂଚନା ଅନୁସାରେ ୫ଲକ୍ଷ ୪୭ହଜାର ୭୪୭ ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ପାଇଁ ୨,୭୬୭ଟି କେନ୍ଦ୍ର କରାଯାଇଛି। ସେହିପରି ୯ହଜାର ୭୭୧ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ଷ୍ଟେଟ ଓପନ୍‌ ସ୍କୁଲ(ଓଏସ୍ଓଏସ୍)ର ୭୬ଟି ପରୀକ୍ଷା କେନ୍ଦ୍ର ଓ ୩ହଜାର ୩୭୩ ଛାତ୍ରଛାତ୍ରୀଙ୍କ ପାଇଁ ୪୫ଟି ମଧ୍ୟମ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ତେବେ ମାଟ୍ରିକ ପରୀକ୍ଷାର ମୂଲ୍ୟ ନିର୍ଦ୍ଧାରଣ ପାଇଁ ୫୩ଟି ସେଣ୍ଟରର ଆୟୋଜନ କରାଯାଇଥିବା ବେଳେ ଓଏସ୍ଓଏସ୍ ଓ ମଧ୍ୟମ ପେପର ପାଇଁ ପ୍ରତ୍ୟେକ ୪ଟି ମୂଲ୍ୟାଙ୍କନ ସେଣ୍ଟର ଆୟୋଜନ କରାଯାଇଛି। ଅପରପକ୍ଷରେ ପରୀକ୍ଷାରେ ପିଲାମାନେ ଯେପରି କପି ନକରିବେ ସେ ନେଇ ବ୍ୟାପକବ୍ୟବସ୍ଥା କରାଯାଇଛି। ଏ ନେଇ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଗୃହରେ ସିସିଟିଭି କ୍ୟାମେରା ଲଗାଯାଇଛି। ଏଥିସହ ୩ସ୍ତରୀୟ ବିଶିଷ୍ଟ ସେଣ୍ଟ୍ରାଲ ସ୍କ୍ୱାର୍ଡ ଗଠନ କରାଯାଇଛି ଯେଉଁଥିରେ ଡିଇଓ ଏବଂ ରିଜିଓନାଲ ବୋର୍ଡ ଅଫିସରମାନେ ରହିବେ। ସେହିପରି ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ କରାଇବା ପାଇଁ ବୋର୍ଡ ଡିଜିପି ଓ ଆରଡିସିଙ୍କ ସାହାଯ୍ୟ ଲେଡିଛନ୍ତି

ଆଡମିଟ୍‌ କାର୍ଡ ଓ ଉପସ୍ଥାପନା ପତ୍ରକୁ ଫେବୃଆରୀ ୮ରୁ ସେଣ୍ଟରଗୁଡ଼ିକୁ ପଠାଇଦିଆଯିବ ବୋଲି ଜଣାଯାଇଛି। ଏଥିସହ ବୋର୍ଡ ପକ୍ଷରୁ ଆଡମିଟ୍‌ କାର୍ଡକୁ ଫେବୃଆରୀ ୭ରୁ www.bseodisha.ac.inରେ ଅପଲୋଡ କରିଦିଆଯିବ।