ରତ୍ନବେଦୀକୁ ଫେରିବେ ମହାବାହୁ: ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ପୁରୀ,ଏନ୍ଏନ୍ଏସ୍: ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଶୀଘ୍ର ରଥ ଟଣା ହେବା ନେଇ ସମସ୍ତ ପ୍ରସ୍ତୁତି ଶେଷ। ଦିନ ୧୨ରୁ ପହଣ୍ଡି ଆରମ୍ଭ ହେବା ସହ ଅପରାହ୍ନ ୪ରୁ ରଥ ଟାଣିବେ ଭକ୍ତ। ସଠିକ ସମୟରେ ନୀତିକାନ୍ତି ସରିବା ପାଇଁ ହୋଇଛି ନିଷ୍ପତ୍ତି। ସେପଟେ ରଥ ଉପରେ ମୋବାଇଲରେ ଫୋଟୋ ଉଠାଇବା ନେଇ କଟକଣା ଜାରି କରାଯାଇଛି।

ନୀତି ନିର୍ଘଣ୍ଟ ଅନୁଯାୟୀ ଆସନ୍ତାକାଲି (ଶନିବାର) ଭୋର ୪ଟା ସମୟରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସହିତ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ବାହୁଡ଼ା ପହଣ୍ଡି ଦିନ ୧୨ରୁ ଆରମ୍ଭ ହେବ। ପରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ। ସେପଟେ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯୟୀ ତିନି ରଥରେ ଆବଶ୍ୟକ ମରାମତି ସରିଛି। ମହାପ୍ରଭୁଙ୍କୁ ଦେଖିବାରେ ଭକ୍ତ ମାନଙ୍କର ଅସୁବିଧା ନହେବା ପାଇଁ ରଥ ଉପରେ ସୀମିତ ସଂଖ୍ୟକ ସେବାୟତ ଉପସ୍ଥିତ ରହିବେ।