ଓଡ଼ିଶାରେ ହେବ ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତା, ଡିଜିପିଙ୍କ ପ୍ରସ୍ତୁତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ୬୮ତମ ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତା ଆସନ୍ତା ଡିସେମ୍ବର ମାସରେ ଓଡ଼ିଶା ପୁଲିସ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି। ଏ ନେଇ ଗୁରୁବାର ଭୁବନେଶ୍ୱର କ୍ୟାମ୍ପ କାର୍ଯ୍ୟାଳୟରେ ପୁଲିସ ଡିଜି ବିଜୟ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପ୍ରତିଯୋଗିତାକୁ ସଫଳ ଭାବେ ଆୟୋଜନ କରିବା ସହିତ ବିଭିନ୍ନ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି।

ଓଡ଼ିଶା ପୁଲିସ ଆନୂକୁଲ୍ୟରେ ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏହି ପ୍ରତିଯୋଗିତା ହେବ। ଆନ୍ତର୍ଜାତିକ ହକି ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ଓଡ଼ିଶାର ଖୁବ୍ ସୁନାମ ରହିଛି। ଏଥିସହିତ ଭୁବନେଶ୍ୱରରେ ହକି ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବା ଦୃଷ୍ଟିରେ ରଖି ସର୍ବଭାରତୀୟ ପୁଲିସ କ୍ରୀଡା ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ପୁଲିସକୁ ଏହି ପ୍ରତିଯୋଗିତା ଆୟୋଜନ କରିବାର ଦାୟିତ୍ୱ ଦେଇଥିବା ପୁଲିସ ଡିଜି କହିଛନ୍ତି। ଏ ନେଇ ରାଜ୍ୟସରକାରଙ୍କ କ୍ରୀଡା ବିଭାଗକୁ ବିଧିବଦ୍ଧ ଭାବେ ଅନୁରୋଧ କରାଯାଇ କାର୍ଯ୍ୟସୂଚୀ ଚୁଡାନ୍ତ କରାଯିବା ନେଇ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏହି ଜାତୀୟ ସ୍ତର ପ୍ରତିଯୋଗିତାରେ ସର୍ବମୋଟ ୩୦ଟି ଦଳରେ ୬୦୦ରୁ ଊଦ୍ଧ୍ୱର୍ ଖେଳାଳୀ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।ଏ ନେଇ ପ୍ରତିଯୋଗିତାର ଆୟୋଜନ ପାଇଁ ୫୦ରୁ ଊଦ୍ଧ୍ୱର୍ କ୍ରୀଡା ପ୍ରଶାସକ ମଧ୍ୟ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ସମସ୍ତ ଖେଳାଳୀ, କୋଚ୍ ଓ କ୍ରୀଡା ଅଧିକାରୀଙ୍କ ରହଣି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ।

ଏହି ସବୁ କାର୍ଯ୍ୟକ୍ରମର ପରିଚାଳନା ପାଇଁ ପୁଲିସ ଡିଜିଙ୍କ ପରାମର୍ଶ କ୍ରମେ ବିଭିନ୍ନ କମିଟି ଓ ଉପ-କମିଟିମାନ ଗଠନ କରାଯାଇ ଠିକ୍ ଭାବେ ସମ୍ପାଦନ କରାଯିବା ନେଇ ନିଷ୍ପତି ନିଆଯାଇଛି। ଗଠନ ହେବାକୁ ଥିବା ପରିଚାଳନା କମିଟିରେ ଆରକ୍ଷୀ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟ ତୁଲାଇବେ। ସେହିପରି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ପରିଚାଳନା କମିଟିର ଉପାଧ୍ୟକ୍ଷ ଓ ଆଇ.ଜି ଅମିତାଭ ଠାକୁର ସମ୍ପାଦକ ଭାବେ କାର୍ଯ୍ୟ କରିବେ। ଅଧ୍ୟକ୍ଷଙ୍କ ଅଧିନରେ ବିଭିନ୍ନ କମିଟି ଗଠନ କରାଯିବ ଯଥା ଅଭ୍ୟର୍ଥନା କମିଟି, ବ୍ୟବସ୍ଥାପନ କମିଟି, ପରିବହନ କମିଟି, ଗଣମାଧ୍ୟମ ଓ ପ୍ରଚାର କମିଟି, ସ୍ମରଣୀକା କମିଟି ଓ ଅର୍ଥ କମିଟିମାନ ଗଠନ କରାଯାଇ କାର୍ଯ୍ୟ ସମ୍ପାଦନ କରାଯିବ।

ଏହି କମିଟିରେ ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀମାନେ ଦାୟିତ୍ୱରେ ରହିବା ନେଇ ବୈଠକରେ ସ୍ଥିର କରାଯାଇଛି।
ଭୁବନେଶ୍ୱର କ୍ୟାମ୍ପ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ଆର୍. ପି କୋଚେ, ଅତିରିକ୍ତ ପୁଲିସ କମିଶନର ସଞ୍ଜୟ ସିଂହ, ଆଇ.ଜି ରେଖା ଲୋହାନୀ, ଅମିତାଭ ଠାକୁର ଓ ଡିସିପି ଭୁବନେଶ୍ୱର ଅନୁପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।