ଭାରତୀୟ ବଜାରକୁ ଆସିବ ଆଲିବାବା

ନୂଆଦିଲ୍ଲୀ,ଏଜେନ୍ସି: ଚୀନର ବହୁପ୍ରତିଷ୍ଠିତ ଇ-ବାଣିଜ୍ୟ କମ୍ପାନୀ ଆଲିବାବା ବର୍ତ୍ତମାନ ଭାରତରେ ପ୍ରବେଶ କରିବା ଲାଗି ପ୍ରସ୍ତୁତି ଚଳାଇଛି। ଆଲିବାବା ସମୂହ ଏହାର ସହାୟକ କମ୍ପାନୀ ୟୁସିୱେବ୍ ଜରିଆରେ ଦେଶର ଇ-ବାଣିଜ୍ୟ ବଜାରରେ ଓହ୍ଲାଇବାକୁ ଯୋଜନା ଚଳାଇଛି। ଭାରତୀୟ ବଜାରରେ ଆଲିବାବାର ପ୍ରବେଶ ଦ୍ୱାରା ଦେଶର ପ୍ରତିଷ୍ଠିତି କମ୍ପାନୀ ଆମାଜନ୍ ଓ ଫ୍ଲିପକାର୍ଟ ପାଇଁ ବଡ଼ଧରଣର ଆହ୍ୱାନ ସୃଷ୍ଟି କରିବ।

ଚଳିତ ଆର୍ଥିକବର୍ଷ ପାଇଁ ଏହି ବ୍ୟବସାୟ ଚାଲେଞ୍ଜ୍ ନେଇ ଆସିବ ବୋଲି ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି। ଅପରପକ୍ଷେ ପେଟିଏମ୍ରେ ଆଲିବାବାର କିଛି ଅଂଶଧନ ରହିଥିବାବେଳେ କମ୍ପାନୀର ଭାରତୀୟ ଇ-ବାଣିଜ୍ୟ କ୍ଷେତ୍ରରେ ଓହ୍ଲାଇବା ଦ୍ୱାରା ପେଟିଏମ୍ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ ବୋଲି ୟୁସିୱେବର ଉପାଧ୍ୟକ୍ଷ ହୁଆଇୟୁଆନ୍ ୟାଙ୍ଗ୍ କହିଛନ୍ତି। ପେଟିଏମରେ ଆଲିବାବା ସମୂହର ୩୦.୧୫% ଭାଗୀଦାରୀ ରହିଛି। ଏଥିସହିତ ସ୍ନାପଡିଲରେ ମଧ୍ୟ ଆଲିବାବା ସମୂହର ୩% ଭାଗୀଦାରୀ ରହିଛି। ଇ-ବାଣିଜ୍ୟ ସେକ୍ଟରରେ ଭାରତୀୟ ବଜାରରେ ପୂର୍ବରୁ ହିଁ ଆମେରିକୀୟ କମ୍ପାନୀ ଆମାଜନ୍ ଓ ଫ୍ଲିପକାର୍ଟ ମଧ୍ୟରେ କଡ଼ା ଟକ୍କର ରହିଛି। ଇତିମଧ୍ୟରେ ଚୀନର କମ୍ପାନୀ ଆଲିବାବା ସମୂହର ପ୍ରବେଶ ଭାରତୀୟ ବଜାରରେ ସମସ୍ତ ଇ-ବାଣିଜ୍ୟି କମ୍ପାନୀଗୁଡ଼ିକ ପାଇଁ ଚାଲେଞ୍ଜପୂର୍ଣ୍ଣ ରହିବ।