ମହିଳାଙ୍କ ମଦ ବିରୋଧି କାର୍ଯ୍ୟକ୍ରମ : ମଦୁଆଙ୍କ ଉନ୍ମୁକ୍ତ କାଣ୍ଡ

ଜଗତସିଂହପୁର, ଏନ୍ଏନ୍ଏସ୍: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ସାଁପୁର ପଂଚାୟତର ମଜୁରାଇ ପ୍ରାଥମିକ ବିଦ୍ୟାଳୟ ନିକଟରେ ନବକୃଷ୍ଣ ନିଶା ନିବାରଣ ମହିଳା ସଂଗ୍ରାମ ସମିତି ପକ୍ଷରୁ ସାଁପୁର, ତରଡାପଡା ଓ ଅଳସୁଧା ପଂଚାୟତରୁ ନିଶା ମୁକ୍ତ ପଂଚାୟତ ଗଠନ କରିବା ପାଇଁ ଶନିବାର ମହିଳାମାନଙ୍କ ମିଟିଂ ଚାଲିଥିବା ଥିବାବେଳେ, ସ୍ଥାନୀୟ ଅଂଚଳର ଏକ ମଦ୍ୟପ କ୍ଷୀରୋଦ ଚନ୍ଦ୍ର ଦାସଙ୍କ ଉନ୍ମୁକ୍ତ କାଣ୍ଡ ଦେଖିବାକୁ ମିଳିଥିଲା। ମଦ୍ୟପ ଜଣଙ୍କ ଏକ ମଦ ଆଣି ମିଟିଂ ମଧ୍ୟରେ ପଶି ମଦ ପିଇବା କିଏ ବନ୍ଦ କରିବ ବୋଲି ମହିଳାମାନଙ୍କୁ ଧମକ୍ ଚମକ ଦେବା ସହିତ ଅଶ୍ରାଭ୍ୟ ଭାଷାରେ ଗାଳି ଗୁଲଜ କରିବା ନେଇ ମହିଳାମାନେ ମିଟିଂରୁ ଉଠି ମଦ୍ୟପ କ୍ଷୀରୋଦକୁ କାବୁ କରି ନେଇଥିଲେ।

ପରେ ମହିଳାଙ୍କ ନେତୃତ୍ୱ ନେଉଥିବା ବହୁଜନ ସମାଜ ପାର୍ଟିର ନେତ୍ରୀ ତଥା ଜଗତସିଂହପୁର ବିଧାୟକ ପ୍ରାର୍ଥୀନୀ ପରିନା ବିବି, ମଦ୍ୟପକୁ ବାନ୍ଧି ପୁଲିସ ଜିମା ଦେବା ପାଇଁ ମହିଳାମାନଙ୍କୁ ନିର୍ଦ୍ଦେଶ ଦେବା ସମୟରେ ଏକ ମହିଳା ଦଉଡି ନେଇ ଘଟଣା ସ୍ଥଳକୁ ଆସିଥିଲେ। ମଦ୍ୟପ ଜଣଙ୍କ ଦଉଡିକୁ ଛଡାଇ ଆଣି ନେତ୍ରୀ ପରିନା ବିବିଙ୍କ ବେକରେ ପକାଇ ଘୋସାଡି ଆଣିବା ନେଇ, ନେତ୍ରୀ ପରିନା ବିବି ଓ ମହିଳା ମାନେ ଉତ୍ୟକ୍ତ ହୋଇ ମଦ୍ୟପକୁ ନୁସ୍ତୁକ ପ୍ରହାର କରି ସଦର ପୁଲିସକୁ ଡକାଇ ଜିମା ଦେଇ ଥାନାକୁ ପଠାଇ ଦେଇଥିଲେ। ସମ୍ପୃକ୍ତ ମଦ୍ୟପ ଜଣଙ୍କ ନିଜେ ମଦ୍ୟପାନ କରିବା ସହିତ ଘରେ ମଦ ରଖି ବ୍ୟବସାୟ କରୁଥିବା ମହିଳା ମାନେ ପୁଲିସକୁ ମଧ୍ୟ ସୂଚନା ଦେଇଥିଲେ।