ଆଜି ପବିତ୍ର ଅକ୍ଷୟ ତୃତୀୟା, ଅନୁକୂଳ ହେବ ରଥକାଠ

ପୁରୀ,ଏନ୍‌ଏନ୍‌ଏସ୍‌: ଆଜି ପବିତ୍ର ଅକ୍ଷୟ ତୃତୀୟା । ଦିନଟି ଶୁଭ ଅନୁକୂଳର ମହାପର୍ବ । ଏହି ପବିତ୍ର ଦିନରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରଥକାଠ ଅନୁକୂଳ ହେବ । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନାରେ ରଥକାଠ ଅନୁକୂଳ କରାଯିବ । ରଥଖଳା ପ୍ରସ୍ତୁତ କେବଳ ମହାପ୍ରଭୁଙ୍କ ଆଜ୍ଞାମାଳକୁ ଅପେକ୍ଷା ।

ଏହି ପବିତ୍ର ଅକ୍ଷୟ ତୃତୀୟ ତିଥିରୁ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାମ ଆରମ୍ଭ ହେବ । ଏଥିଲାଗି ରଥଖଳା ପ୍ରସ୍ତୁତ ହୋଇ ରହିଛି । ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ପହଞ୍ଚି ସାରିଛି । କାଠ ଅନୁକୂଳ ହେବାକୁ ଥିବା ତିନିଖଣ୍ଡ ଧଉରା କାଠ ମଧ୍ୟ ପ୍ରସ୍ତୁତ ରହିଛି । କେବଳ ଆଜ୍ଞାମାଳକୁ ଅପେକ୍ଷା ରହିଛି । ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ । ରଥକାଠ ଅନୁକୂଳ ପରେ ଶ୍ରୀମନ୍ଦିରରେ ରଥକାମ ଆରମ୍ଭ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତମାନେ ଏକ ପଟୁଆରରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟକୁ ଆସିବା ପରେ ସେଠାରେ ରଖାଯାଇଥିବା ତିନି ଖଣ୍ଡ ଧଉରା କାଠର ଅନୁକୂଳ ବିଶ୍ଵକର୍ମା ମହାରଣା କରିବେ।

ଶ୍ରୀନହର ସମ୍ମୁଖରେ ରଥନିର୍ମାଣ ପାଇଁ ରଥଖଳା ପ୍ରସ୍ତୁତ । ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ରଥ ଖଳା ଉପରେ ଭୋଇ ସେବକମାନେ ଚାଳି ପକାଇଛନ୍ତି । ଚଳିତ ବର୍ଷ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ଆଠ ପ୍ଲାଟୁନ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ତିନିଜଣ ଡିଏସପି ଓ ୬ଜଣ ଆଇଆଇସିଙ୍କୁ ମୁତୟନ‌ କରାଯାଇଥିବା ବେଳେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିବା ଏସପି କନୱର ବିଶାଳ ସିଂ କହିଛନ୍ତି ।