‘ଓଡ଼ିଶା ମୋ ପରିବାର’ କାର୍ଯ୍ୟରେ ପ୍ରଭାବିତ ଖିଲାଡ଼ି କୁମାର

  • ଭୁବନେଶ୍ୱର, ‘ଓଡ଼ିଶା ମୋ ପରିବାର’ ଓ ସେବାମୂଳକ କାର୍ଯ୍ୟ ଦ୍ୱାରା ପ୍ରେରିତ ହୋଇଛନ୍ତି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର। ଏନେଇ ଗଞ୍ଜାମ ଜିଲ୍ଲା ସଂଯୋଜକ ସୁବାଷ ମହାରଣାଙ୍କୁ ଏକ ପତ୍ର ପଠାଇଛନ୍ତି। ସୂଚନା ଅନୁଯାୟୀ, ଟୁଟୁ ଭୂୟାଁ ନାମକ ଜଣେ ଓଡ଼ିଆ ଲୋକ ଅକ୍ଷୟଙ୍କ ବ୍ୟକ୍ତିଗତ କର୍ମଚାରୀଭାବେ କାର୍ଯ୍ୟରତ। ତାଙ୍କ ସ୍ତ୍ରୀ ସଙ୍ଗୀତା ଗତ ୬ ତାରିଖରେ ଅସ୍ତ୍ରୋପଚାର ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ମେଡିକାଲରେ ଭର୍ତ୍ତି ହେବାର ୪-୫ ଘଣ୍ଟା ପର୍ଯ୍ୟନ୍ତ ପରିବାର ଲୋକ କୌଣସି ଖବର ପାଇନଥିଲେ। ଅକ୍ଷୟ ମଧ୍ୟ ବ୍ୟସ୍ତ ହୋଇ ବିଭିନ୍ନ ଅଧିକାରୀଙ୍କ ସହ ଯୋଗାଯୋଗ କରି ବିଫଳ ହୋଇଥିଲେ। ପରେ ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକଙ୍କ ସହଯୋଗ ଲୋଡ଼ିଥିଲେ। ଶ୍ରୀ ପଟ୍ଟନାୟକ ତୁରନ୍ତ ଗଞ୍ଜାମ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ସୁବାଷ ମହାରଣାଙ୍କୁ ଅବଗତ କରାଇଥିଲେ। ସେ ବ୍ରହ୍ମପୁର ମେଡିକାଲ ଯାଇ ସଙ୍ଗୀତାଙ୍କୁ ଭେଟିବା ସହ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ। ଏ ବିଷୟରେ ଅକ୍ଷୟ କୁମାରଙ୍କୁ ମଧ୍ୟ ତୁରନ୍ତ ଜଣାଇ ଦିଆଯାଇଥିଲା। ଓଡ଼ିଶା ମୋ ପରିବାର ପକ୍ଷରୁ ସୁବାଷ ମହାରଣାଙ୍କ ତ୍ୱରିତ ପଦକ୍ଷେପ ଦ୍ୱାରା ଅକ୍ଷୟ କୁମାର ପ୍ରଭାବିତ ହୋଇଛନ୍ତି। ମହାମାରୀ ଭଳି ସଙ୍କଟଜନକ ସ୍ଥିତିରେ ଏଭଳି କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଛନ୍ତି।