କ୍ରାଇମବ୍ରାଞ୍ଚରେ ଆକାଶ ପାଠକ ନାଁ’ରେ ଏତଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ନାଁରେ କ୍ରାଇମବ୍ରାଞ୍ଚରେ ଏତଲା ଦାୟର ହୋଇଛି। ଟାଟା ମୋଟର୍ସର ଡେପୁଟି ଜେନେରାଲ ମ୍ୟାନେଜର ତ୍ରିଲୋଚନ ମହାନ୍ତି କ୍ରାଇମବ୍ରାଞ୍ଚ ଆଇଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉକ୍ତ ଏତଲାକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୭ମାସ ତଳେ ଆକାଶ ନାଁରେ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା।

ଅଭିଯୋଗ ଅନୁସାରେ, ଆକାଶ ପାଠକ ନିଜକୁ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନର ଏମ୍ଡି ବୋଲି ପରିଚୟ ଦେଉଥିଲା। ଏଥିସହିତ ଟାଟା ମୋଟର୍ସ ଲୋଗୋକୁ ନକଲ କରିବା ସହ ଜାଲ୍ ଇ-ମେଲ୍ ଆଇଡି ତିଆରି କରିଥିଲା। ବେକାରୀ ଶିକ୍ଷିତମାନଙ୍କୁ ରୋଜଗାର ସ୍ୱପ୍ନ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ। ଟାଟା ମୋଟର୍ସ କର୍ତ୍ତୃପକ୍ଷ ଏହା ଜାଣିବା ପରେ ଗତ ମେ’ ମାସ ୧୮ ତାରିଖରେ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ସାଇବର ଥାନା ଏକ ମାମଲା ରୁଜୁ କରିଥିଲା। ହେଲେ ଅଦ୍ୟାବଧି ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସନ୍ଦେହ ସୃଷ୍ଟି କରିଛି।
ଅନ୍ୟପକ୍ଷରେ ଆକାଶ ଗତ ଏପ୍ରିଲ ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲା। ଏହି ସମୟରେ ସେ ନିଜକୁ ଟାଟାର ଏକ ଉଚ୍ଚପଦସ୍ଥ ଅଧିକାରୀ ଭାବେ ପରିଚୟ ଦେଇଥିଲା। ଏହି ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ସେ ଟାଟାରେ ଯୋଗଦେବା ପରେ ସଂସ୍ଥାର ଉନ୍ନତି ହୋଇଥିଲା। ଯେତେବେଳେ ଦେଶରେ ଅଟୋ ମୋବାଇଲ ସେକ୍ଟରରେ ସଙ୍କଟ ଦେଖାଦେଇଥିଲା, ସେହି ସମୟରେ ଆକାଶ ତାଙ୍କର ଉପସ୍ଥିତ ବୁଦ୍ଧି ଘଟାଇ କମ୍ପାନୀର ପାସେଞ୍ଜର କାର ନିର୍ମାଣ କ୍ଷେତ୍ରକୁ ଆଗକୁ ନେଇଥିଲେ। ତାଙ୍କ ତତ୍ତ୍ୱାବଧାନରେ ଟାଟା କମ୍ପାନୀ ୨୬ଟି ନୂଆ ମଡେଲ କାର ଆଗକୁ ଲଞ୍ଚ କରିବାକୁ ଯାଉଥିବା ସେ କହିଥିଲେ।

ଆକାଶ ତାଙ୍କର ଫେସବୁକ ପ୍ରୋଫାଇଲ ସମେତ ଅନ୍ୟାନ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜକୁ ଟାଟାର ପ୍ରଶାସନିକ ଅଧିକାରୀ ଭାବେ ପରିଚୟ ଦେଇଛନ୍ତି। ୨୦୧୭ ମସିହାରୁ ସେ ଟାଟାରେ ଯୋଗଦେଇଥିବା ତାଙ୍କ ଫେସବୁକ ପ୍ରୋଫାଇଲରେ ଉଲ୍ଲେଖ ରହିଛି। ଏହି ଘଟଣା ଜଣାପଡିବା ପରେ ଟାଟା କମ୍ପାନୀ ପକ୍ଷରୁ ତଦନ୍ତ କରାଯାଇଥିଲା। ତଦନ୍ତ ପରେ ଏସବୁ ଜାଲ ବୋଲି ଜଣାପଡ଼ିବାରୁ ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚରେ ଅଭିଯୋଗ କରାଯାଇଥିଲା। ଏବେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯିବା ପରେ ଟାଟା କମ୍ପାନୀ ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।