‘ମୁସଲିମଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ଯୋଗୀ ଆଦିତ୍ୟନାଥ’

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନଆରସି)କୁ ବିରୋଧ କରୁଥିବା ଲୋକଙ୍କ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ କ୍ଷେତ୍ରରେ ମୁସଲିମଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ୟାୟ କରୁଛନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି। ସେ ଲକ୍ଷେ୍ନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଲଭାବରେ ଜାଣନ୍ତି ଯେ ବିଜେପିର ୨୦୦ ବିଧାୟକ ଏକଦା ବିଧାନସଭା ଭିତରେ ତାଙ୍କ ବିରୋଧରେ ଧାରଣାରେ ବସିଥିଲେ।

ସେ ନିଜର ଗାଦି ରକ୍ଷା କରିବା ଲାଗି ମୁସଲିମଙ୍କ ପ୍ରତି ଅନ୍ୟାୟ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ କିଛି ବିଜେପି ବିଧାୟକ ଯୋଗୀ ଆଦିତ୍ୟନାଥଙ୍କୁ ଦୋଷାରୋପ କରି ବିଧାନସଭାରେ ଧାରଣା ଦେଇଥିଲେ। ଅଖିଳେଶ ଯାଦବ ଆହୁରି କହିଛନ୍ତି, ଯଦି ବିଜେପି ବିଧାୟକଙ୍କୁ ବିଶ୍ୱାସକୁ ନିଆଯାଏ ତା’ହେଲେ ପ୍ରାୟ ୩୦୦ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ଷୁବ୍ଧ ଅଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥିରେ ଭୟଭୀତ ହୋଇ ମୁସଲିମଙ୍କ ପ୍ରତି ଅନ୍ୟାୟ କରୁଛନ୍ତି।

ରାଜ୍ୟରେ ଘଟିଥିବା ହିଂସାକାଣ୍ଡ ସମ୍ପର୍କରେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ। ଅଖିଳେଶ ଯାଦବ କହିଛନ୍ତି, ସିଏଏ ବିରୋଧୀ ହିଂସାକାଣ୍ଡରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନେ ପୁଲିସ ଗୁଳିର ଶିକାର ହୋଇଛନ୍ତି। କିନ୍ତୁ ସରକାର ଏହାକୁ ଲୁଚାଇବାକୁ ଉଦ୍ୟମ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ସିଏଏ ଓ ଏନଆରସି ବିରୋଧରେ ଆନ୍ଦୋଳନ ସମୟରେ ଘଟିଥିବା ହିଂସାକାଣ୍ଡରେ ୨୧ ଜଣଙ୍କ ପ୍ରାଣହାନୀ ଘଟିଥିଲା।