ଜେଲରେ ଥାଇ ବିଧାନସଭାକୁ ନିର୍ବାଚିତ

ଗୁଆହାଟୀ, ଏଜେନ୍ସି: ଆସାମରେ ଜେଲରେ ଥାଇ ଜଣେ ପ୍ରାର୍ଥୀ ପ୍ରଥମକରି ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏହି ପ୍ରାର୍ଥୀ ଜଣକ ହେଲେ ନବଗଠିତ ରାଇଯୋର ଦଳର ପ୍ରତିଷ୍ଠାତା ଅଖିଳ ଗୋଗୋଇ। ସେ ଶିବସାଗର ନିର୍ବାଚନମଣ୍ଡଳୀରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁରଭି ରାଜକୁମାରୀଙ୍କୁ ୧୧,୮୭୫ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଅଖିଳ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧକରି ଦେଶଦ୍ରୋହ ଅପରାଧରେ ଗତ ୨୦୧୯ ଡିସେମ୍ବରରେ ଗିରଫ ହୋଇଥିଲେ। ସେ ସେବେଠାରୁ ଜେଲ୍ରେ ରହିଛନ୍ତି। ତାଙ୍କ ପ୍ରାର୍ôଥତ୍ୱକୁ କଂଗ୍ରେସ ପ୍ରଥମେ ସମର୍ଥନ କରୁଥିଲାବେଳେ ପରବର୍ତ୍ତୀ ସମୟରେ ଶୁଭ୍ରମିତ୍ର ଗୋଗୋଇଙ୍କୁ ଟିକେଟ୍ ଦେଇଥିଲା। ଏହି ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱୀତାରେ ଅଖିଳ ୫୭,୨୧୯ ପାଇ ବିଜୟୀ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ସେ ଜେଲ୍ରେ ଥିବାରୁ ତାଙ୍କର ୮୫ବର୍ଷୀୟ ମା’ ତାଙ୍କ ପାଇଁ ପ୍ରଚାର କରିଥିଲେ। କେବଳ ସେତିକି ନୁହେଁ, ରାଇଯୋର ଦଳର ଶତାଧିକ ଯୁବକର୍ମୀ ଘର ଘର ବୁଲି ତାଙ୍କ ପାଇଁ ପ୍ରଚାର କରିଥିଲେ। ୪୬ବର୍ଷୀୟ ଅଖିଳ ଗୁଆହାଟୀର କଟନ୍ କଲେଜରୁ ସ୍ନାତକ ପାସ୍ କରିଛନ୍ତି। ସେ ୧୯୯୫-୯୬ରେ କଟନ୍ କଲେଜ ଛାତ୍ର ୟୁନିୟନର ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିଲେ।