କରୋନାରେ ଆରଡିଏଲର ମୁଖ୍ୟ ଚୌଧୁରୀ ଅଜିତ ସିଂଙ୍କ ପରଲୋକ

ମୁଜାଫରନଗର,ଏଜେନ୍ସି: ରାଷ୍ଟ୍ରୀୟ ଲୋକ ଦଳ (ଆରଡିଏଲ୍)ର ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚୌଧୁରୀ ଅଜିତ ସିଂଙ୍କ ଆଜି କରୋନାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ ପଶ୍ଚିମ ଉତ୍ତରପ୍ରଦେଶର ନାମୀଦାମୀ ନେତା ଥିଲେ। ଏପ୍ରିଲ ୨୦ ତାରିଖରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ତାଙ୍କ ଫୁସଫୁସ ଇନଫେକସନ ହେବାରୁ ସେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବା ସହ ସକାଳୁ ତାଙ୍କର ଦେହାନ୍ତ ହୋଇଛି। ଏନେଇ ତାଙ୍କ ପୁଅ ତଥା ପୂର୍ବତନ ସାଂସଦ ଜୟନ୍ତ ଚୌଧୁରୀ ଟୁଇଟ କରି ସୂଚନା ଦେଇଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ପୁଅ ଥିଲେ ଅଜିତ ସିଂ। ସେ ବାଘପଟରୁ ୭ ଥର ସାଂସଦ ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ଆମେରିକାର ଏକ କମ୍ପ୍ୟୁଟର କାରଖାନାରେ ୧୫ ବର୍ଷ କାମ କରିଥିଲେ। ସେ ୧୯୮୬ରେ ପ୍ରଥମ ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ।