ଅଜୟ ଦାସଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ବିଭାଗର ପୂର୍ବତନ ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗତ ଅଗଷ୍ଟ ୧୩ତାରିଖରେ ଅଜୟ ଦାସଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ସେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା। ଏହାସହ ଆହୁରି ଅଧିକ ସମ୍ପତ୍ତି ତାଙ୍କ ମାଲିକାନାରେ ଥିବା ସୂଚନା ମିଳିବାପରେ ଇଡିକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ତେବେ ସେ କେଉଁଠି କେତେ ପରିମାଣର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଲୁଚାଇ ରଖିଛନ୍ତି, ଇଡି ତଦନ୍ତ କରିବା ପରେ ହିଁ ସବୁ ଜଣାପଡ଼ିବ। ଶ୍ରୀ ଦାସଙ୍କୁ ଭିଜିଲାନ୍ସ ଗିରଫ କରିବାପରେ ତାଙ୍କ ଠାରୁ ନଗଦ ଟଙ୍କା, ସୁନାଗହଣା, ଗାଡ଼ି, ୪ଟିି ସ୍ଥାନରେ ଜମି ଓ କୋଠାମାନ ଠାବ କରିଥିଲା।

ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଶ୍ରୀ ଦାସଙ୍କୁ ଗତ ଅଗଷ୍ଟ ୧୩ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଚଢ଼ଉ ସମୟରେ ତାଙ୍କର ଭୁବନେଶ୍ୱର ଓ ପୁରୀରେ ଏକାଧିକ ଫ୍ଲାଟ୍‌, ବାଲେଶ୍ୱରରେ କୋଠା, ବିଭିନ୍ନ ସ୍ଥାନରେ ପ୍ଲଟ୍‌, ୫୦ ଲକ୍ଷ ୩ ହଜାର ଟଙ୍କାର ବ୍ୟାଙ୍କ ବାଲାନ୍ସ ଓ ଫିକ୍ସଡ୍ ଡିପୋଜିଟ୍ ମିଳିଥିଲା। ଏଥିସହିତ ୧କେଜିରୁ ଅଧିକ ସୁନା ଓ ରୁପା ଅଳଙ୍କାର ଠାବ ହୋଇଥିଲା। ୮୧ ଲକ୍ଷ ୫୩ ହଜାର ଟଙ୍କାର ଜୀବନବୀମା ପଲିସି ଓ ନଗଦ ୨ଲକ୍ଷ ୬୯ହଜାର ଟଙ୍କା ମଧ୍ୟ ଭିଜିଲାନ୍ସ ଜବତ କରିଥିଲା। ଶ୍ରୀ ଦାସଙ୍କ ଜବତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।