ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା ହେବେ ବିଶ୍ବ ବ୍ୟାଙ୍କ ମୁଖ୍ୟ

ୱାଶିଂଟନ,ଏଜେନ୍ସି: ଆଉ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ବଡ ଦାୟିତ୍ବ । ବିଶ୍ବ ବ୍ୟାଙ୍କ ମୁଖ୍ୟ ହେବେ ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମାଷ୍ଟରକାର୍ଡର ପୂର୍ବତନ ସିଇଓ ତଥା ପ୍ରତିଷ୍ଠିତ ବ୍ୟବସାୟୀ ଅଜୟ ବଙ୍ଗାଙ୍କୁ ବିଶ୍ବବ୍ୟାଙ୍କର ମୁଖ୍ୟ ଭାବେ ମନୋନୀତ କରିଛନ୍ତି । ଏନେଇ ବାଇଡେନ ବୟାନରେ କହିଛନ୍ତି ଯେ, ଅଜୟ ବଙ୍ଗାଙ୍କ ନିକଟରେ ଅନ୍ତର୍ଜାତୀୟ କମ୍ପାନୀ ଗୁଡିକ ସହ କାର୍ଯ୍ୟ କରିବାର ଭଲ ଅଭିଜ୍ଞତା ରହିଛି । ବିଶ୍ବବ୍ୟାଙ୍କର ନେତୃତ୍ବ ନେବାରେ ସେ ସକ୍ଷମ ।

୬୩ ବର୍ଷୀୟ ଅଜୟ ବଙ୍ଗା ବର୍ତ୍ତମାନ ଇକ୍ବିଟି ଫାର୍ମ ଜେନେରାଲ ଆଟଲାଣ୍ଟିକର ଉପାଧ୍ୟକ୍ଷ ଅଛନ୍ତି । ପୂର୍ବରୁ ସେ ମାଷ୍ଟରକାର୍ଡ ସିଇଓ ଥିଲେ । ”ସେ ବିଶ୍ବବ୍ୟାଙ୍କ ନେତୃତ୍ବ ନେବାକୁ ଉପଯୁକ୍ତ । ଅନ୍ତର୍ଜାତୀୟ କମ୍ପାନୀଗୁଡିକର ଗଠନ ଓ ପରିଚାଳନାରେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି” ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି ।

ଏହାପୂର୍ବରୁ ଡେଭିଡ ମାଲପାସ୍ ବିଶ୍ବବ୍ୟାଙ୍କ ମୁଖ୍ୟ ଥିଲେ । ଗତ ସପ୍ତାହରେ ସେ ନିଜ ଇସ୍ତଫା ଘୋଷଣା କରିଥିଲେ । ୨୦୧୯ ମସିହାରେ ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ସେ ଇସ୍ତଫା ଘୋଷଣା କରିବା ପରେ ବାଇଡେନ ବଙ୍ଗାଙ୍କୁ ବିଶ୍ବବ୍ୟାଙ୍କର ମୁଖ୍ୟ ଭାବେ ମନୋନୀତ କରିଛନ୍ତି ।