ଟ୍ରେନରେ ଏଣିକି ବିମାନ ଭଳି ମିଳିବ ଭୋଜନ, ଆଇଆରସିଟିସି ନେଉଛି ଏଭଳି ପଦକ୍ଷେପ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ରେଳବାଇର ଆଇଆରସିଟିସି ଏବେ ରୋଜଗାର ବଢ଼ାଇବା ଲାଗି ନୂଆ ଯୋଜନା କରୁଛି। ବିମାନ ଭଳି ରେଳବାଇ ମଧ୍ୟ ନିଜର ଯାତ୍ରୀମାନଙ୍କୁ ଭୋଜନ ଉପଲବ୍ଧ କରିବାକୁ ‘ରେଡି ଟୁ ଇଟ’ ଯୋଜନା ପ୍ରସ୍ତୁତ କରୁଛି। ଏଥିପାଇଁ ଆଇଆରସିଟିସି ଅନେକ ଜଣାଶୁଣା ଖାଦ୍ୟ ଉତ୍ପାଦନ କମ୍ପାନୀ ସହିତ ହାତ ମିଶାଇଛି।

ଏମଟିଆର, ଆଇଟିସି, ଡୁନଚାନ, ବାଘ ବକରୀ, ଆରକେ କ୍ୟାଟରିଂ ଓ ହଲ୍‌ଦୀରାମ ସମେତ ଆହୁରି ଅନେକ କମ୍ପାନୀ ସହିତ ବୁଝାମଣା କରିଛି। ରେଳ ଯାତ୍ରା ସମୟରେ ଲୋକେ ନିଜ ପସନ୍ଦର କ୍ୟାଟରିଂଙ୍କ ଠାରୁ ଭୋଜନ ମଗାଇପାରିବେ।

କରୋନା ଭାଇରସ ଯୋଗୁଁ ଦେଶରେ ଏବେ କେବଳ ସ୍ୱତନ୍ତ୍ର ଟ୍ରେନ ପରିଚାଳିତ ହେଉଛି। ଏହି ଟ୍ରେନ ଗୁଡ଼ିକରେ ପେଣ୍ଟ୍ରି ବ୍ୟବସ୍ଥା ବର୍ତ୍ତମାନ ପରିସ୍ଥିତିରେ ବନ୍ଦ ଅଛି। ରେଳବାଇ ଟ୍ରେନରେ ‘ରେଡି ଟୁ ଇଟ’ ଭୋଜନ ବ୍ୟବସ୍ଥା ଆରମ୍ଭ କରି ଯାତ୍ରୀମାନଙ୍କୁ ନୂଆ ସୁବିଧା ଦେବାକୁ ଚାହୁଁଛି। ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ରେଳମନ୍ତ୍ରୀ ପୀୟୂଷ ଗୋୟଲ ନୂଆ ସୁବିଧା ଖୁବ ଶୀଘ୍ର ଲାଗୁ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।