ମାଲକାନଗିରିରେ ଏୟାରଷ୍ଟ୍ରିପ, ସ୍ଥାନ ପରିଦର୍ଶନ କଲେ ପାଞ୍ଚ ଜଣିଆ ଟିମ୍

ମାଲକାନଗିରି,ଏନ୍ଏନ୍ଏସ୍: ଦୀର୍ଘ ବର୍ଷର ଅପେକ୍ଷା ପରେ ଜିଲ୍ଲାରେ ପ୍ରସ୍ତାବିତ ଏୟାରଷ୍ଟ୍ରିପ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ । ଏଥିପାଇଁ ଦିଲ୍ଲୀରୁ ଭାରତୀୟ ଏୟାରପୋର୍ଟ ଅଥୋରିଟିର ପାଞ୍ଚ ଜଣିଆ ଟିମ୍ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । ଏହି ଟିମ୍ ପ୍ରସ୍ତାବିତ ଏୟାରଷ୍ଟ୍ରିପ ସ୍ଥାନ ପରିଦର୍ଶନ କରିବା ସହ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ସହ ଆଲୋଚନା କରିଛନ୍ତି । ପାଞ୍ଚ ଜଣିଆ ଟିମଙ୍କ ଗସ୍ତ ଅବସରରେ ମାଲକାନଗିରି ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ, ମାଲକାନଗିରି ସୂଚନା ଓ ପ୍ରସାରଣ ଅଧିକାରୀ ଡ଼. ଗୁଣନିଧି ନାୟକଙ୍କ ସହ ପୂର୍ତ୍ତଗୃହ ନିର୍ମାଣ ବିଭାଗର ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

ମାଲକାନଗିରି ଜିଲ୍ଲା ଏକ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାବେଳେ ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଠାରୁ ୬୫୦ କିମି ଦୂରରେ ଅବସ୍ଥିତ । ସେଥିପାଇଁ ସରକାରୀ କାର୍ୟ୍ୟ ତଦାରଖ କରିବାକୁ ରାଜଧାନୀରୁ କୌଣସି ଅଧିକାରୀ କିମ୍ବା ମନ୍ତ୍ରୀଙ୍କୁ ଆସିବାକୁ ହେଲେ ଦୁଇ ଦିନ ସମୟ ଲାଗିଥାଏ । ଏହାସହ ମାଲକାନଗିରି ଜିଲ୍ଲା ତିନି ରାଜ୍ୟର ସୀମାରେ ରହିଥିବାରୁ ଏହାକୁ ରାଜ୍ୟ ସରକାର ଏକ ମଡେଲ ଜିଲ୍ଲା ଭାବେ ପରିଗଣିତ କରିବାକୁ ଚାହୁଁଛନ୍ତି ।