ଆଇଆଇଏମସିରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା

ଢେଙ୍କାନାଳ,ଏନ୍ଏନ୍ଏସ୍: ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ଚିକାଗୋ ବିଶ୍ୱବିଦ୍ୟାଳୟସ୍ଥିତ ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍‍ (ଏପିକ୍‍)ର ମିଳିତ ସହଯୋଗରେ ‘ବାୟୁ ପ୍ରଦୂଷଣ ଆମ ଆୟୁଷକୁ କମାଉଛି କି?’ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇପାରିଲେ ଢେଙ୍କାନାଳବାସୀଙ୍କ ହାରାହାରି ପରମାୟୁ ଦୁଇବର୍ଷ ନଅମାସ ବୃଦ୍ଧି କରାଯାଇପାରନ୍ତା ବୋଲି ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ୍ ଇଣ୍ଡେକ୍ସ (ଏକ୍ୟୁଏଲ୍ଆଇ) ତଥ୍ୟରୁ ଜଣାପଡ଼ିଛି। ତେଣୁ ପ୍ରଦୂଷଣ ରୋକିବା ଲାଗି ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ଏହି କର୍ମଶାଳାରେ ମତ ପ୍ରକାଶ ପାଇଛି।

ଏହି କର୍ମଶାଳାରେ ଢେଙ୍କାନାଳ ଉପଜିଲ୍ଲାପାଳ ଭବେଶ କୁମାର ନାୟକ ଯୋଗଦେବା ସହିତ ବାୟୁ ପ୍ରଦୂଷଣ ରୋକିବାକୁ ସରକାରୀସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି, କିନ୍ତୁ ଏନେଇ ଲୋକେ ସଚେତନ ହେବା ଜରୁରୀ ବୋଲି କହିଛନ୍ତି। ଏଥିସହିତ ଇ-ଯାନର ଅଧିକ ପ୍ରଚଳନ ତଥା ଅଧିକରୁ ଅଧିକ ସାଇକେଲ୍ ବ୍ୟବହାର ଉପରେ ଲୋକେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି।

ଅନ୍ୟତମ ବକ୍ତାଭାବେ ଏନ୍ଏଏମ୍ଆଇ ଅନୁଷ୍ଠାନର ସମ୍ପାଦକ ନିରଦ ନନ୍ଦ, ସାମ୍ବାଦିକ ସନ୍ଦିପ ସାହୁ, ଓଡ଼ିଶା ମେଡିକାଲ୍‍ ସର୍ଭିସ୍‍ ଆସୋସିଏସନର ଢେଙ୍କାନାଳ ଚାପ୍ଟରର ମୁଖ୍ୟ ଡ. ଜଗଦାନନ୍ଦ ତ୍ରିପାଠୀ, ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ, ଏପିକ୍‍-ଇଣ୍ଡିଆର ପ୍ରତିନିଧି ବରିଷ୍ଠ ଡେଟା ଆସୋସିଏଟ୍‍ ଜ୍ୟୋତି ରଞ୍ଜନ ନାୟକ ଏବଂ କମ୍ୟୁନିକେସନ୍ ଆଣ୍ଡ୍ ଆଉଟରିଚ୍‍ କୋର୍ଡିନେଟର ପରଂବ୍ରହ୍ମ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।