ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ମାମଲା: କେଜ୍ରିୱାଲ ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ, ଏଜେନ୍ସି : ଦିଲ୍ଲୀ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ କେଜ୍ରିୱାଲ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗୁରୁବାର ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଦିଲ୍ଲୀର ବିଷାକ୍ତ ବାୟୁମଣ୍ଡଳ ପ୍ରତି ଉଦବେଗ ପ୍ରକାଶ କରି ହାଇକୋର୍ଟ ନିଜଆଡୁ ମାମଲା ରୁଜୁ କରି ଗୁରୁବାର ଶୁଣାଣି କରିଥିଲେ। କୋର୍ଟ କହିଛନ୍ତି, ଦିଲ୍ଲୀର ପ୍ରଦୂଷିତ ବାୟୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାରର ସାଧନ ଅଛି। କିନ୍ତୁ କେଜ୍ରିୱାଲ ସରକାର ଓ ପ୍ରଶାସକ ମହଲ ନିକଟରେ ଇଚ୍ଛାଶକ୍ତିର ଅଭାବ ପରିଲକ୍ଷିତ ହୋଇଛି। ବାୟୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାରଙ୍କ ପାଖରେ ଯଥେଷ୍ଟ ଯୋଜନା ଅଛି।

କିନ୍ତୁ ଯୋଜନା କାର୍ଯ୍ୟକାରୀ କରିବାର ଆଗ୍ରହ ନାହିଁ। କେବଳ ସରକାର ନୁହନ୍ତି, ଦିଲ୍ଲୀବାସୀଙ୍କ ନିକଟରେ ମଧ୍ୟ ସଚେତନତାର ଅଭାବ ରହିଛି। ମୋଟ ଉପରେ ପ୍ରତ୍ୟେକ ଦିଲ୍ଲୀବାସୀ ଚାହିଁଲେ, ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି ହୋଇପାରିବ ବୋଲି ହାଇକୋର୍ଟ କହିଛନ୍ତି। ଦିଲ୍ଲୀର ପ୍ରଦୂଷଣକୁ ଦୃଷ୍ଟିରେ ରଖି କେଜ୍ରିୱାଲ ସରକାର ଶୁକ୍ରବାର ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଥିଲେ। କୋଇଲା ସମେତ ଅନ୍ୟାନ୍ୟ ଧୂଆଁ ଛାଡ଼ୁଥିବା ଇନ୍ଧନ ବ୍ୟବହାରକୁ ନିଷେଧ କରାଯାଇଥିଲା। ଦିଲ୍ଲୀର ପ୍ରଦୂଷିତ ବାୟୁମଣ୍ଡଳ ପ୍ରତି ଚିନ୍ତା ପ୍ରକଟ କରି ୧୩ ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ। ଉଦଜାନ ନିର୍ଗତ କରୁଥିବା ଇନ୍ଧନ ବ୍ୟବହାର ପ୍ରତି ଦୃଷ୍ଟି ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।