ପ୍ରଦୂଷଣ ରୋକିବାକୁ ‘ଗ୍ରୀନ୍ ଫଣ୍ଡ୍’ରେ ଦିଲ୍ଲୀକୁ ୧୮.୭୪ କୋଟି

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଦୂଷଣ କବଳରେ ଜାତୀୟ ରାଜଧାନୀ ଦିଲ୍ଲୀ। ବର୍ତ୍ତମାନ ଏହି ବାୟୁ ପ୍ରଦୂଷଣ ରୋକିବାକୁ ଅଣ୍ଟା ଭିଡିଛନ୍ତି ଦିଲ୍ଲୀ ସରକାର। ଏଥିପାଇଁ କେନ୍ଦ୍ର ସରକାର ଗ୍ରୀନ ଫଣ୍ଡ ଅଧିନରେ ୧୮.୭୪ କୋଟି ସହାୟତା ଯୋଗାଇଛନ୍ତି। ୨୦୧୯ରୁ ଏହା ଆରମ୍ଭ ହୋଇଥିଲେ ମଧ୍ୟ ଏନସିଏପିରେ ଫଣ୍ଡ ସଂଗ୍ରହ କରିବା ପ୍ରଥମ।

ଏନସିଏପିର ଏହି ଯୋଜନା ଅନୁଯାୟୀ ଦିଲ୍ଲୀରେ ୨୦୨୪ ସୁଦ୍ଧା ପିଏମ (ପାର୍ଟିକ୍ୟୁଲେଟ୍ ମ୍ୟାଟର)କୁ ୨୦%ରୁ ୩୦% ଯାଏଁ ହ୍ରାସ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପାର୍ଟିକ୍ୟୁଲେଟ୍ ମ୍ୟାଟର ହେଉଛି ବାୟୁରେ ଥିବା ଧୂଳିକଣା, କଣିକା, ଯାହା ପ୍ରଦୂଷଣର କାରଣ। ଏଥିରେ ଉଭୟ ଜୈବିକ ଓ ଅଣଜୈବିକ କଣିକା ରହିଥାଏ।

ଦିଲ୍ଲୀ ନୁହେଁ ଦେଶର ମୋଟ ୧୩୨ଟି ସହରକୁ ପ୍ରଦୂଷଣ ମୁକ୍ତ କରିବାକୁ କେନ୍ଦ୍ର ସରକାର ଅର୍ଥ ଯୋଗାଇଦେଇଛନ୍ତି। ଚଳିତ ବର୍ଷ ୮୨ଟି ସହର ପାଇଁ ୨୯୦ କୋଟି ଟଙ୍କା ରଖାଯାଇଛି। ରାଜଧାନୀରେ ବାୟୁ ପ୍ରଦୂଷଣର ମୁକାବିଲା କରିବାକୁ ଦିଲ୍ଲୀ ସରକାର ‘ଶୀତକାଳୀନ କାର୍ୟ୍ୟ ଯୋଜନା’ ପ୍ରସ୍ତୁତ କରିଛନ୍ତି। ଏହା ଅଧିନରେ ମୁଖ୍ୟତଃ ସ୍ମୋଗ୍ ଟାୱାରକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।