ଇସ୍ରାଏଲ ଗସ୍ତରେ ବାୟୁସେନା ପ୍ରମୁଖ; ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ବାୟୁସେନା ପ୍ରମୁଖ ଆରକେଏସ ଭଦୋରିଆ ବିଦେଶ ଗସ୍ତରେ ଯାଇ ଗତକାଲି(ମଙ୍ଗଳବାର) ଇସ୍ରାଏଲରେ ପହଞ୍ଚିଛନ୍ତି। ଇସ୍ରାଏଲ ଏୟାର ଫୋର୍ସ କମାଣ୍ଡର ମେଜର ଜେନେରାଲ ଅମିକମ ନୋର୍କିନଙ୍କ ନିମନ୍ତ୍ରଣ କ୍ରମେ ଇସ୍ରାଏଲ ଗସ୍ତ କରିଛନ୍ତି ବାୟୁସେନା ମୁଖ୍ୟ। ଏହା ପୂର୍ବରୁ ଗତ ଶନିବାର ସଂଯୁକ୍ତ ଆରବ ଏମିରଟ(ୟୁଏଇ)ରେ ପହଞ୍ଚିଥିଲେ ଆରକେଏସ ଭଦୋରିଆ । ଏହି ଗସ୍ତ ଉପସାଗରୀୟ ଦେଶ ସହ ଭାରତର ନୂଆ ରଣନୀତି ଓ ବୁଝାମଣାରେ ସହାୟକ ହେବ।

ବାୟୁସେନା ପ୍ରମୁଖ ଆରକେଏସ ଭଦୋରିଆଙ୍କ ଇସ୍ରାଏଲ ଗସ୍ତକୁ ନେଇ ଭାରତୀୟ ବାୟୁସେନା କହିଛି, ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସାମରିକ, କୂଟନୈତିକ ସମ୍ବନ୍ଧକୁ ଆହୁରି ସୁଦୃଢ କରିବ। ଯାହାର ଏକ ବଡ ଅଶଂ ହେଉଛି ସୈନ୍ୟସ୍ତରରେ ବିଭିନ୍ନ ଭାବଗତ ତଥ୍ୟ ଓ ସାମରିକ ସାମଗ୍ରୀର ଆଦାନ ପ୍ରଦାନ। ଗସ୍ତ ଅବସରରେ ଉଭୟ ଦେଶ ବାୟୁସେନା ପ୍ରତି ଥିବା ଆହ୍ୱାନ, ଯୁଦ୍ଧାସ୍ତ୍ର, ନୂଆ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଆଲୋଚନା ସହ କିଛି ଚୁକ୍ତି ହେବ।