ଉତ୍ତମ ଜନସ୍ୱାସ୍ଥ୍ୟ ସେବା ପାଇଁ ବହୁମୂଖୀ ଉଦ୍ୟମର ଆବଶ୍ୟକତା ରହିଛି

ଭୁବନେଶ୍ବର,ଏନ୍ଏନ୍ଏସ୍: ସମଗ୍ର ବିଶ୍ଵରେ ନଭେଲ କରୋନା ଭାଇରସକୁ ନେଇ ସୃଷ୍ଟି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ପରିପ୍ରେକ୍ଷୀରେ ଏଆଇପିଏଚ୍ ବିଶ୍ଵବିଦ୍ୟାଳୟ ଦ୍ଵାରା ଆୟୋଜିତ ବାର୍ଷିକ ଜାତୀୟ କର୍ମଶାଳାରେ ସମବେତ ବିଶେଷଜ୍ଞମାନେ ନିଜର ବହୁମୂଲ୍ୟ ମତ ରଖିଛନ୍ତି। ଏହାର ଉଦ୍ଘାଟନୀ ଅଧିବେଶନରେ ଯୋଗଦେଇ ବିଶିଷ୍ଟ ପରିବେଶବିତ ପଦ୍ମଶ୍ରୀ ପ୍ର ରାଧାମୋହନ ଅନେକ ଉଦାହରଣ ମାଧ୍ୟମରେ କିପରି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁସ୍ଥ ଖାଦ୍ୟ, ସୁସ୍ଥ ମୃତ୍ତିକା, ସ୍ଵଚ୍ଛ ଜଳ,ସ୍ବଚ୍ଛ ପରିବେଶ ଆଦି ଅପରିହାର୍ୟ୍ୟ ତାହା ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଛନ୍ତି,‘ଉତ୍ତମ ଜନସ୍ୱାସ୍ଥ୍ୟ ସେବା ପାଇଁ ବହୁମୂଖୀ ଉଦ୍ୟମର ଆବଶ୍ୟକତା ରହିଛି।’

ସେହିପରି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କ ପ୍ରତିନିଧି ଭାବେ ନର୍ସିଙ୍ଗ ନିର୍ଦ୍ଦେଶକ ଡ. ସୁଶୀଲ କର ତାଙ୍କ ବକ୍ତବ୍ୟରେ ମ୍ୟାଲେରିଆଜନିତ ମୃତ୍ୟୁ ସଂଖ୍ୟାରେ ହ୍ରାସ ଉଦାହରଣ ମାଧ୍ୟମରେ ଜନସ୍ୱାସ୍ଥ୍ୟ ବିଜ୍ଞାନର ଗୁରୁତ୍ଵ ପ୍ରତିପାଦନ କରି ଥିଲେ। ସରକାରଙ୍କ ସହ ବେସରକାରୀ ସଂସ୍ଥାମାନଙ୍କ ସହଯୋଗ ଆବଶ୍ୟକ ବୋଲି ସେ ଏହି ଅବସରରେ କହିଥିଲେ।
ଏହି ଅଧିବେଶନରେ କୁଳପତି ଡ.ଜନ୍ମେଜୟ ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ସଂସ୍ଥାପକ ତଥା ଜର୍ଜଟାଉନ ବିଶ୍ଵବିଦ୍ୟାଳୟର ପ୍ରଧ୍ୟାପକ ଡ. ପିନାକୀ ପାଣିଗ୍ରାହୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ।

ପରବର୍ତ୍ତୀ ବୈଷୟିକ ଅଧିବେଶନରେ ଜନସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ଜାତୀୟସ୍ତରର ବିଶେଷଜ୍ଞ ଶ୍ରୀ କୀର୍ତ୍ତି ପ୍ରଧାନ ବର୍ତ୍ତମାନ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକତା ଅନୁସାରେ ଶିକ୍ଷାନୁଷ୍ଠାନମାନଙ୍କ ଦାୟିତ୍ଵ ବିଷୟରେ ଉପସ୍ଥାପନ କରିଥିଲେ। ସେହିପରି ମଦୁରାଇ ସ୍ଥିତ ମିନାକ୍ଷୀ ମିଶନ ଚିକିତ୍ସାଳୟର ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବିଭାଗର ମୁଖ୍ୟ ଭାବେ କାର୍ୟ୍ୟରତ ଡ. ନରେନ୍ଦ୍ର କୁମାର ଜେନା କରୋନା ଭାଇରସ ସମ୍ପର୍କିତ ପରିସ୍ଥିତି ବିଷୟରେ ବିସ୍ତ୍ରୁତ ଆଲୋଚନା କରିଥିଲେ। ୱାସିଙ୍ଗଟନ ଡିସି, ଆମେରିକାରୁ ଆସିଥିବା ବିଶ୍ଵବ୍ୟାଙ୍କର ପୂର୍ବତନ ଆର୍ଥିକ ପରାମର୍ଶଦାତା ବିନୋଦ ନାୟକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇକ୍ରୋ କ୍ରେଡିଟ ବା କ୍ଷୁଦ୍ରଋଣ ଓ ଇଂସୁରାନ୍ସର ଭୂମିକା ବିଷୟରେ ଆଲୋଚନା କରିଥିଲେ। ପୂର୍ବତନ ସଚିବ ଶ୍ରୀ ବିବେକାନନ୍ଦ ପଟ୍ଟନାୟକ ଏହି ବୈଷୟିକ ଅଧିବେଶନର ପରିଚାଳନା କରିଥିଲେ।

ମଧ୍ୟାହ୍ନ ଭୋଜନ ପରେ ଶ୍ରୀ କୀର୍ତ୍ତି ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଏକ ପ୍ୟାନେଲ ଆଲୋଚନାରେ ଡ. ଶ୍ରୀଜିତ ମିଶ୍ର ମିଲେଟ ମିଶନର ଉଦାହରଣ ଦେଇ ପୃଷ୍ଟିକର ଖାଦ୍ୟ ମାଧ୍ୟମରେ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଚର୍ଚ୍ଚା କରିଥିଲେ। ସେହିପରି ଏହି ଆଲୋଚନାରେ ଜାଭିୟର ବିଶ୍ୱବିଦ୍ୟାଳୟର ଗବେଷଣା ମୁଖ୍ୟ ଡ. ପ୍ରିୟଦର୍ଶନ ପାତ୍ର ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଆଲୋକପାତ କରିଥିଲେ।

ଏହି କର୍ମଶାଳାରେ ବିଶ୍ଵବିଦ୍ୟାଳୟର ଛାତ୍ରମାନେ ପୋଷ୍ଟର ମାଧ୍ୟମରେ ବିଭିନ୍ନ ଜନସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଷୟରେ ସେମାନଙ୍କ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ। ବିଶ୍ଵବିଦ୍ୟଳୟର ଡିନ୍ ଡ. କଳ୍ପନା ପାଣିଗ୍ରାହୀ କୃତୀ ଛାତ୍ରଛାତ୍ରୀମାନଙ୍କ ନାମ ଘୋଷଣା କରିଥିଲେ ଏବଂ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।