ଏମ୍ସ ଡାକ୍ତର କରୋନାରେ ସଂକ୍ରମିତ : ଦିଲ୍ଲୀରେ ୭ ଡାକ୍ତର ଆକ୍ରାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ଏମ୍ସ)ର ଜଣେ ରେସିଡେଣ୍ଡ ଡାକ୍ତର ନଭେଲ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଫିଜିଓଲୋଜି ବିଭାଗର ଏହି ଡାକ୍ତର ଜଣଙ୍କୁ ହସ୍ପିଟାଲର ନୂଆ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି କରାଯାଇ ତାଙ୍କର ଅଧିକ ପରୀକ୍ଷା ନିରୀକ୍ଷା କରାଯାଉଛି। ଦିଲ୍ଲୀରେ ତାଙ୍କୁ ମିଶାଇ ୭ ଜଣ ଡାକ୍ତର କରୋନାରେ ସଂକ୍ରମିତ ହେଲେଣି। ଗତ ବୁଧବାର କେନ୍ଦ୍ର ସରକାରଙ୍କ ପରିଚାଳନାଧୀନ ସଫଦରଜଙ୍ଗ ହସ୍ପିଟାଲର ୨ ଜଣ ରେସିଡେଣ୍ଟ ଡାକ୍ତରଙ୍କ ଟେଷ୍ଟରେ କରୋନା ପଜିଟିଭ୍ ରିପୋର୍ଟ ମିଳିଥିଲା। ଏହି ଦୁହିଁଙ୍କ ମଧ୍ୟରୁ ଜଣେ ଏହି ହସ୍ପିଟାଲରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ଗଠନ କରାଯାଇଥିବା କୋଭିଡ-୧୯ ଟିମ୍ର ସଦସ୍ୟ ଥିଲେ। ଅନ୍ୟ ଜଣେ ଡାକ୍ତର ବାୟୋକେମିଷ୍ଟ୍ରୀ ସ୍ନାତକୋତ୍ତର ବିଭାଗର ତୃତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି। ସେମାନଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ଏହାଛଡ଼ା ପୂର୍ବରୁ ଦିଲ୍ଲୀ ରାଜ୍ୟ କ୍ୟାନସର୍ ଇନଷ୍ଟିଚ୍ୟୁଟ୍ର ଅଙ୍କୋଲୋଜି ବିଭାଗର ଜଣେ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିଲେ। ଦୁଇଜଣ ମହଲା କ୍ଲିନିକ୍ ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।