‘ଅଗ୍ନିପଥ’ ଯୋଜନା ଅଗ୍ନି ପରୀକ୍ଷା ନୁହେଁ ବରଂ ସୁଯୋଗ: ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ବିରୋଧରେ ସମଗ୍ର ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି । ବିହାରରୁ ହରିୟାଣା ପର୍ଯ୍ୟନ୍ତ ଆନ୍ଦୋଳନ ଆକ୍ରମଣାତ୍ମକ ହେବାରେ ଲାଗିଛି । ଏଭଳି ସ୍ଥିତିରେ ଯୁବକଙ୍କୁ ସରକାର ଯୋଜନାର ଲାଭ ସମ୍ବନ୍ଧରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ।

ଯୁବକଙ୍କୁ ବୁଝାଇବା ପାଇଁ ଔପଚାରିକ ରୂପେ ସରକାର ଏକ ଫ୍ୟାକ୍ଟ ସିଟ ଜାରି କରିଛନ୍ତି । ଏହାର ଶୀର୍ଷକ ‘ଅଗ୍ନିପଥ, କାଳ୍ପନିକ ବନାମ ତଥ୍ୟ’ ରଖାଯାଇଛି । ଏହା ମାଧ୍ୟମରେ ସରକାର ସମସ୍ତ ତଥ୍ୟକୁ ସ୍ପଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ।

ସରକାର କହିଛନ୍ତି ଯେ, ଯେଉଁମାନେ ଏହି ଯୋଜନାର ସାମିଲ ହେବେ ସେମାନଙ୍କୁ ଆର୍ଥିକ ସହାୟତା ଓ ଋଣ ଯୋଗାଇ ଦିଆଯିବ । ଯେଉଁମାନେ ଆଗକୁ ପଢ଼ିବାକୁ ଚାହୁଁଥିବେ ସେମାନଙ୍କୁ ଦ୍ୱାଦଶ ଶ୍ରେଣୀର ସମତୁଲ୍ୟ ସାର୍ଟିଫିକେଟ ପ୍ରଦାନ କରାଯିବ । ଯେଉଁମାନେ ଚାକିରି ଚାହୁଁଛନ୍ତି ସେମାନଙ୍କୁ ସୀଏପିଏଫ ଓ ରାଜ୍ୟ ପୁଲିସର ଭର୍ତ୍ତି ହେବା ପାଇଁ ସୁଯୋଗ ଦିଆଯିବ । ଏହାଦ୍ୱାରା ଯୁବକଙ୍କ ପାଇଁ ଅବସର ବଢ଼ିବ । ଆଗାମୀ ବର୍ଷରେ ବର୍ତ୍ତମାନଠାରୁ ୩ ଗୁଣା ଭର୍ତ୍ତି କରାଯିବ ।