ବାଲେଶ୍ୱର,ଏନ୍ଏନ୍ଏସ୍: ଅଗ୍ନି ୫ କ୍ଷେପଣାସ୍ତ୍ରର ରାତ୍ରିକାଳୀନ ସଫଳ ପରୀକ୍ଷଣ ହୋଇଯାଇଛି। ଡିଆର୍ଡିଓ ପକ୍ଷରୁ ବୁଧବାର ସନ୍ଧ୍ୟା ୭ଟା ୫୦ ମିନିଟ୍ରେ ଅଗ୍ନି-୫ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ହୋଇଛି। ଧାମରା ଠାରୁ ୧୫ କିମି ଦୂର ସମୁଦ୍ର ମଧ୍ୟସ୍ଥ ଏପିଜେ ଅବଦୁଲ କଲାମ ଦ୍ବୀପର ୪ ନମ୍ବର ଲଞ୍ଚପ୍ୟାଡ୍ରୁ ଏହାର ପରୀକ୍ଷା କରାଯାଇଛି।
ନାଭିଗେସନ୍ ସିଷ୍ଟମ ଓ ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ ଦ୍ବାରା ୩ଟି ରାଡାର ମାଧ୍ୟମରେ ମିସାଇଲ୍ର ଗତିବିଧି ଉପରେ ନଜର ରଖାଯାଇଥିଲା। ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି ୫ର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟର ରହିଛି। ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି।
ମିସାଇଲ୍ରଟି ସଂପୂର୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଏଥିରେ ୩ଟି ସ୍ତରରେ ଇନ୍ଧନ ଉପଲବ୍ଧ ଥିଲା। କ୍ଷେପଣାସ୍ତ୍ରଟିର ଲମ୍ବ ୧୭ ମିଟର, ମୋଟେଇ ୨ ମିଟର ଓ ଓଜନ ୫୦ ଟନ୍ ରହିଥିଲା। ସେକେଣ୍ଡ ପ୍ରତି ଏହାର ବେଗ ୪.୨ କିମି ଥିବା ବେଳେ ୧୨ ମିନିଟ୍ରେ ଏହା ଲକ୍ଷ୍ୟଭେଦ କରିପାରିଥିଲା। ତେଣୁ କ୍ଷେପଣାସ୍ତ୍ରଟି ଚାଇନା, ରୁଷିଆ, ମସ୍କୋ, ଆଥେନ୍ସ, କାଇରା, ତେହେରାନ, ବେଜିଂ, ହଂକଂ, ବ୍ୟାଙ୍କକ, ଜାକର୍ତ୍ତା ଓ ଟୋକିଓ ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ ବୋଲି ବିଭାଗୀୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୂଚନା ଥାଉକି ଅଗ୍ନି-୫ ବାଲିଷ୍ଟିକ୍ ମିସାଇଲ୍ର ଏହା ହେଉଛି ଅଷ୍ଟମ ପରୀକ୍ଷା। ପ୍ରଥମ ପରୀକ୍ଷା ୧୯ ଏପ୍ରିଲ୍ ୨୦୧୨ରେ କରାଯାଇଥିଲା।