ବୟସ ହେରଫେର ଘଟଣାରେ ୨ ଓଡ଼ିଆ କ୍ରିକେଟରଙ୍କୁ ବିସିସିଆଇ ପକ୍ଷରୁ ୨ବର୍ଷ ବାସନ୍ଦ

କଟକ,ଏନ୍ଏନ୍ଏସ୍: ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ ଇନ୍ ଇଣ୍ଡିଆ(ବିସିସିଆଇ) ପକ୍ଷରୁ ବୁଧବାର ୨ଜଣ ଓଡ଼ିଆ ଖେଳାଳିଙ୍କୁ ବୟସ ଜାଲିଆତି କରିବାଅଭିଯୋଗରେ ୨ବର୍ଷ ପାଇଁ ଖେଳରୁ ବାସନ୍ଦ କରାଯାଇଛି। ଫଳରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ) ପୁଣି ଥରେ ବୟସ  ଜାଲିଆତି ମାମଲାରେ ଛନ୍ଦି ହୋଇଛି । କ୍ରିକେଟର୍‌‌ ସୌମେନ ଚାନ୍ଦ ଓ ବିଶ୍ୱଜିତ ମଲ୍ଲିକ ବୟସ ଜାଲିଆତି କରିଥିବା ଜଣାପଡ଼ିବା ପରେ ବିସିସିଆଇ ୨ ବର୍ଷ ପାଇଁ ସେମାନଙ୍କ ଘରୋଇ ମ୍ୟାଚ୍‌ ଖେଳିବା ଉପରେ ବ୍ୟାନ୍‌ ଲଗାଇଛି।

୨୩ ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟରେ ଖେଳିବା ଲାଗି ସେମାନେ ନିଜ ବୟସ କମ୍‌ ଦର୍ଶାଇ ଥିଲେ। ତେବେ ରେକର୍ଡ଼ ଯାଞ୍ଚ ସମୟରେ ସେମାନଙ୍କର ବୟସ ନିଜ ପ୍ରକୃତ ବୟସ ସହ ମିଶିନଥିଲା। ଫଳରେ ଏହାର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ଓସିଓକୁ ରେକର୍ଡ ପଠାଯାଇଥିଲା। ସେଠାରେ ସେମାନଙ୍କ ତଥ୍ୟ ଭୁଲ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ବିସିସିଆଇ ପକ୍ଷରୁ ୨ବର୍ଷ ବାସନ୍ଦ କରାଯାଇଛି। ସେହିପରି ଗତବର୍ଷ  ନଭେମ୍ବର ମାସରେ ନକଲି ବୟସ ସାର୍ଟିଫିକେଟ୍‌ ଦେଇଥିବା କାରଣରୁ ବିସିସିଆଇ ଅନ୍ୟ ଦୁଇ ଓଡ଼ିଆ ଖେଳାଳି ରାଜେଶ ମହାନ୍ତି ଓ କ୍ରୀଷ୍ଣା ପଲାଇଙ୍କ ଉପରେ ବ୍ୟାନ୍‌ ଲଗାଇଥିଲା।