ପୁଣି ଚର୍ଚ୍ଚାକୁ ଆସିଲା ଉନ୍ନାଓ ଗଣଦୁଷ୍କର୍ମ ଘଟଣା: ଜାମିନରେ ଆସି ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇଲେ ଅଭିଯୁକ୍ତ ଦେଶ- ବିଦେଶଫଟୋ By Nitidin Last updated Dec 5, 2019 Share ଲକ୍ଷ୍ନୌ,ଏଜେନ୍ସି: ହାଇଦ୍ରାବାଦରେ ଜଣେ ପ୍ରାଣୀ ଚିକିତ୍ସିକାଙ୍କୁ ଗଣବଳାତ୍କାର ପରେ ପୋଡ଼ି ହତ୍ୟା କରାଯିବା ପରେ ପୁଣି ଏଭଳି ଏକ ଉନ୍ମୁକ୍ତ କାଣ୍ଡ ଘଟାଇବାକୁ ଉଦ୍ୟମ କରୁଥିବା ଜଣାଯାଇଛି। ଜରେ ଗଣବଳାତ୍କାର ପୀଡ଼ିତାଙ୍ଙ୍କୁ ଅଭିଯୁକ୍ତମାନେ ଜାମିନରେ ଆସି ତାଙ୍କୁ ଦିନଦିପହରରେ ଜୀବନ୍ତ ଜାଳିଦେବକୁ ଉଦ୍ୟମ କରିଥିଲେ। ସେଠାରୁ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ପୀଡ଼ିତାଙ୍କ ଶରୀରର ପାଖାପାଖି ୫୦ପ୍ରତିଶତ ଜଳିଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଉନ୍ନାଓର ବିହାର ଥାନା ଅଞ୍ଚଳରେ ଗତ ମାର୍ଚ୍ଚ ମାସରେ ଉକ୍ତ ଯୁବତୀ ଜଣଙ୍କ ଗଣବଳାତ୍କାର ଶିକାର ହୋଇଥିଲେ। ଏ ନେଇ ସେ ୫ ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ମାମଲାର ଶୁଣାଣି ଚାଲିଥିବାବେଳେ ଗୁରୁବାର ପୀଡ଼ିତା କୋର୍ଟ ଆସୁଥିଲେ। ଏଥିପାଇଁ ସେ ଗୁରୁବାର ଭୋର ସମୟରେ ରାୟବରେଲି ଯିବା ଲାଗି ବୈସୱାରା ବିହାର ରେଳ ଷ୍ଟେସନକୁ ଆସୁଥିଲେ। ଗାଁ ଠାରୁ ଅଳ୍ପ ଦୂରରେ ତାଙ୍କ ଗାଁର ହରିଶଙ୍କର ତ୍ରିବେଦୀ, କିଶୋର ଶୁଭମ, ଶିବମ ଏବଂ ଉମେଶ ନାମକ ଯୁବକ ତାଙ୍କୁ ଘେରି ଯାଇଥିଲେ। ବଳାତ୍କାର ନେଇ କ’ଣ ପାଇଁ ଅଭିଯୋଗ କରିଥିଲୁ କହି ସେମାନେ ପ୍ରଥମେ ଏକ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ପିଟିଦେବା ସହିତ ତଣ୍ଟିକୁ ଛୁରିରେ ଆକ୍ରମଣ କରିଥିଲେ। ସେ ତଳେ ପଡ଼ିଯିବା ପରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ ବୋଲି ପୀଡ଼ିତା ବୟାନ ଦେଇଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ୨ ଅଭିଯୁକ୍ତ ଜାମିନରେ ଆସିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି। Share