ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶରେ ନୂତନ କୃଷି ଆଇନକୁ ନେଇ ତୁଟୁନି ଅଡ଼ୁଆ। ଚାଷୀ ସଂଗଠନ ଆଇନକୁ ରଦ୍ଧ ପାଇଁ ଦାବି କରୁଥିବା ବେଳେ ସରକାର ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଏନେଇ ପୁଣି ଥରେ ଚାଷୀ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଆସନ୍ତାକାଲି ଭାରତ ବନ୍ଦ ରହୁଛି। ବିଭିନ୍ନ ରାଜନୈତିକ ଦଳ, କୃଷକ ସଂଗଠନ ଓ ଶ୍ରମିକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ବନ୍ଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ଧ୍ୟାନ ଦେବା ପାଇଁ ସମସ୍ତ ଜିଲ୍ଲା ପୁଲିସ ମାନଙ୍କୁ ସତର୍କ କରାଇଛନ୍ତି ରାଜ୍ୟ ସରକାର।
ବିଶେଷ ଭାବରେ ଭାରତ ବନ୍ଦ ସମୟରେ ସବୁ ପ୍ରମୁଖ ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ। ସମାନ ଭାବରେ ରାଜ୍ୟରେ କଟକ ଓ ଭୁବନେଶ୍ୱରରେ ଭାରତ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିବ ବୋଲି ଆଶଙ୍କା କରାଯାଇଛି। ଭାରତ ବନ୍ଦ ସମୟରେ ସବୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ଜଣାପଡିଥିବା ବେଳେ ସରକାରୀ ଅଫିସ୍ ଗୁଡିକରେ ସମୟ ପୂର୍ବରୁ ପହଞ୍ଚିବା ପାଇଁ ନିର୍ଦ୍ଦେଶ ରହିଛି।