ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସୋଲେସନ ଗୃହରୁ ଟିକିଟକ ଭିଡିଓ ଭାଇରାଲ

ଝାରସୁଗୁଡା,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ରାଜ୍ୟରେ ସଂଗରୋଧ ଗୃହ ଓ ଆଇସୋଲେସନ ସେଣ୍ଟର କରି ସେଠାରେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ ରଖୁଛନ୍ତି। ଏଠାରେ ଲୋକମାନଙ୍କୁ ସଂଗରୋଧରେ ରଖାଯାଉଥିବା ବେଳେ କେତେକ ଅମାନିଆ ଏହାର ଫାଇଦା ଉଠାଇ ସେଠାରେ ଆପତ୍ତିଜନକ ପରିସ୍ଥିତି ସୃଷ୍ଟି କରୁଛନ୍ତି। ତେବେ କ୍ୱାରେଣ୍ଟାଇନ ତଥା ଆଇସୋଲେସନ ରୁମରେ କୌଣସିବି ଆପତ୍ତିଜନକ ଘଟଣା ଘଟାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସୋଲେସନ ସେଣ୍ଟରରେ ଜଣେ ଯୁବକ ଟିକଟକ କରି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଟିକଟକର କ୍ରେଜ ଭାରତୀୟଙ୍କ ନିକଟରେ ଢେର ଅଧିକ ରହିଛି। ଯୁବକଠୁ ନେଇ ବୁଢାବୁଢୀ ଯାଏଁ ଟିକ୍ଟକ୍ ଭିଡିଓ କରିବା ପାଇଁ ପଛାଉ ନାହାନ୍ତି।

କୋଭିଡ-୧୯ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥିବା ଆଇସୋଲେସନ ଗୃହରେ ଜଣେ କର୍ମଚାରୀ ଟିକଟକ ଭିଡିଓ ତିଆରି କରିଛନ୍ତି। ସେଠାରେ ଥିବା ବେଡରେ ସେ ଶୋଇ ଭିଡିଓ ତିଆରି କରିଛନ୍ତି। ଭିଡିଓଟିରେ ସେ ଖାଇବେନି କହୁଥିବାବେଳେ ମଦ ପିଇବା ପାଇଁ ଖୁସିରେ ଉଠୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ବର୍ତ୍ତମାନ ଭାଇରଲ ହେବା ସହ ଜିଲ୍ଲାରେ ଲୋକଙ୍କ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି।

ଟିକଟକ ଭିଡିଓ ତିଆରି କରିଥିବା ଯୁବକ ଜଣକ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲଣ୍ଡ୍ରିଂ କାମ କରିବା ପାଇଁ ଏକ ଠିକା ସଂସ୍ଥାରେ ନିୟୋଜିତ ଦିନେଶ କାକ ବୋଲି ଜଣାପଡିଛି। ତେବେ ଭିଡିଓଟି ଭାଇରାଲ ହେବା ପରେ କୋଭିଡ-୧୯ର ଏହି ଭୟାଭୟ ପରିସ୍ଥିତିରେ ଆଇସୋଲେସନ ଗୃହରେ ଥିବା ଶଯ୍ୟାରେ ଶୋଇ ଭିଡିଓ କରିବା ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବିମାନେ ନିନ୍ଦା କରିଛନ୍ତି। ଅନ୍ୟପଟେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଗଦିଶ ଚନ୍ଦ୍ର ବାରିକଙ୍କୁ ଏ ବିଷୟରେ ପଚାରିବାରୁ କହିଛନ୍ତି ଏହି ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।