ଜେଏନୟୁରେ ପୁଣି ଛାତ୍ର ଅଶାନ୍ତ, ୧୪୪ଧାରା ଜାରି ପରେ ମଧ୍ୟ ରାଲିରେ ବାହାରିଲେ ଶହ ଶହ ଛାତ୍ରଛାତ୍ରୀ ଦେଶ- ବିଦେଶ By Nitidin On Nov 18, 2019 Share ନୂଆଦିଲ୍ଲୀ,ଏଜେନ୍ସି: ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ)ରେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଗତ କିଛିଦିନ ତଳେ ଜେଏନୟୁରେ ଫି ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିବା ବେଳେ ଏ ନେଇ ଆଜି ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏ ନେଇ ସେଠାରେ ପୂର୍ବରୁ ୧୪୪ ଧାରା ଲାଗୁ କରାଯାଇଥିବା ପରେ ମଧ୍ୟ ଛାତ୍ର ସଂଘ ନେତୃତ୍ଵରେ ଶହ ଶହ ଛାତ୍ରଛାତ୍ରୀ ସୋମବାର ସଂସଦ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରିଛନ୍ତି। ଛାତ୍ରମାନଙ୍କୁ ସଂସଦ ପରିସରରେ ପହଞ୍ଚିବାକୁ ଦିଆଯିବ ନାହିଁ ବୋଲି ପୁଲିସ କହିବା ସହିତ ବିଭିନ୍ନ ସ୍ଥାନରେ ଛାତ୍ରଙ୍କୁ ଅଟକାଇବା ଲାଗି ବ୍ୟାରିକେଡ୍ କରାଯାଇଛି। କିନ୍ତୁ ଅନେକ ସ୍ଥାନରେ ଛାତ୍ରମାନେ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି। ଅନ୍ୟପଟେ ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବାରୁ ଛାତ୍ରମାନଙ୍କୁ ଅଟକାଇବା ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଜେଏନୟୁ କ୍ୟାମ୍ପସଠାରୁ ୧ କିଲୋମିଟର ଅଞ୍ଚଳ ଭିତରେ ଛାତ୍ରଙ୍କୁ ଅଟକାଇବାକୁ ପୁଲିସ ଯୋଜନା କରିଥିଲେ ହେଁ ତାହା ବିଫଳ ହୋଇଛି। ସଂସଦ ପରିସରରେ ସୁରକ୍ଷା ବ୍ୟବସ୍ଥା ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ୯ କମ୍ପାନୀ ଫୋର୍ସ ମୁତୟନ କରାଯାଇଛି। ସେଥିରେ ଅର୍ଦ୍ଧସାମରିକ ବଳ ମଧ୍ୟ ସାମିଲ ହୋଇଛନ୍ତି। ପାଖାପାଖି ୧୨୦୦ ପୁଲିସ କର୍ମଚାରୀ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି। Share