ପୁଣି ଥରେ ପରିବାର ସହ ଦେଖିପାରିବେ ରାମାୟଣ ଧାରାବାହିକ, ଜାଣନ୍ତୁ କେତେବେଳେ ହେବ ପ୍ରସାରଣ

ନୂଆଦିଲ୍ଲୀ,ଏଜେନ୍ସି: ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଗତ ବର୍ଷ ଛୋଟ ପରଦାରେ ରେକର୍ଡ ସୃଷ୍ଟି କରିବା ପରେ ପୁଣି ଥରେ ଏହା ଷ୍ଟାର ଭାରତରେ ପ୍ରସାରିତ ହେବାକୁ ଯାଉଛି। ଏହି ଶୋ’କୁ ପୁଣି ଟେଲିଭିଜନରେ ପ୍ରସାରଣ କରାଯିବ। ଏହା ଦ୍ୱାରା ଲୋକେ ଆଂଶିକ ଲକଡାଉନରେ ନିଜ ଘରେ ରହିବା ସହ କରୋନା ସଂକ୍ରମଣରୁ ଦୂରରେ ରହିପାରିବେ ବୋଲି କୁହାଯାଉଛି। କରୋନା ମହାମାରୀର ଦ୍ୱିତୀୟ ଲହର ଲୋକଙ୍କୁ ପୁଣି ଥରେ କଠିନ ସମୟକୁ ଠେଲିଦେଇଛି। ବର୍ତ୍ତମାନ ସମୟରେ ପୁଣି ଥରେ ସାମାଜିକ ଦୂରତ୍ୱର ଆବଶ୍ୟକତା ରହୁଛି।

ଗତ ବର୍ଷ ଭଳି ଏହି ଅଦ୍ଭୁତ ସମୟରେ ଦର୍ଶକଙ୍କୁ ମନୋରଞ୍ଜନ କରାଇବା ଲାଗି ଉଦ୍ୟମ କରାଯାଇଛି। ଏହି ଐତିହାସିକ ପୌରାଣିକ ଧାରାବାହିକରେ ରାମ, ଲକ୍ଷ୍ମଣ ଓ ସୀତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅରୁଣ ଗୋଭିଲ, ସୁନୀଲ ଲହରୀ ଓ ଦୀପିକା ଚିଖଲିଆଙ୍କୁ ଦର୍ଶକ ଦେଖିବାକୁ ପାଇବେ। ଭାରତୀୟ ଟେଲିଭିଜନର ସବୁଠାରୁ ପ୍ରତିଷ୍ଠିତ ଶୋ’ ଭାବେ ନାଁ କରିଛି ରାମାୟଣ। ରାମାୟଣ ଧାରାବାହିକ ଷ୍ଟାର ଭାରତରେ ପ୍ରତିଦିନ ସନ୍ଧ୍ୟା ୭ଟାରେ ପ୍ରସାରଣ ହେବ।