ଷଷ୍ଠ ଥର ପାଇଁ ଫାଇନାଲରେ ମୁମ୍ବାଇ

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ଆଇପିଏଲ୍‌ରେ ଗୁରୁବାର ପ୍ରଥମ କ୍ୱାଲିଫାୟର୍ ଖେଳାଯାଇଛି ଓ ଏଥିରେ ବେଶ୍ ସହଜରେ ବିଜୟୀ ହୋଇ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି। ପ୍ରଥମେ ବ୍ୟାଟିଂ ସୁଯୋଗ ପାଇ ମୁମ୍ବାଇ ୫ ୱିକେଟ୍‌ରେ ୨ ଶହ ରନ୍ କରିଥିବା ବେଳେ ଏହାର ଜବାବରେ ପ୍ରଥମ ଫାଇନାଲ୍ ଲକ୍ଷ୍ୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟ୍‌ରେ ୧୪୩ ରନ୍ କରିଥିଲା। ଏଥିସହ ମୁମ୍ବାଇ ଷଷ୍ଠ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଥିବା ବେଳେ ଦିଲ୍ଲୀ ଆସନ୍ତା ରବିବାର ଦ୍ୱିତୀୟ କ୍ୱାଲିଫାୟର୍ ଖେଳିବ। ଶୁକ୍ରବାର ଆବୁଧାବିଠାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗଲୋର୍ ମଧ୍ୟରେ ଏଲିମିନେଟର୍ ଖେଳାଯିବ।

ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ‌ଙ୍କ ବିସ୍ଫୋରକ ୫୫, ସୂର୍ଯ୍ୟ କୁମାର ଯାଦବଙ୍କ ଧୂଆଁଧାର ୫୧ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛକାଭରା ୩୭ ରନ‌ର ଇନିଂସକୁ ଆଧାର କରି ୨୦୦ ରନର ବିଶାଳ ସ୍କୋର କରିଥିଲା। ଏଥିପାଇଁ ଦଳକୁ ମାତ୍ର ୫ଟି ୱିକେଟ୍ ହରାଇବାକୁ ପଡ଼ିଥିବା ବେଳେ କିଶନ ମାତ୍ର ୩୦ଟି ବଲ୍ ଖେଳି ୪ଟି ଚୌକା ଓ ୩ଟି ଛକା ଲଗାଇଥିଲେ। ସେହିପରି ସୂର୍ଯ୍ୟକୁମାର କ୍ରମାଗତ ଦ୍ୱିତୀୟ କ୍ୱାଲିଫାୟର୍‌-୧ରେ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କର ଏହି ଇନିଂସରେ ୬ଟି ଚୌକା ଓ ୨ଟି ଛକା ରହିଥିବା ବେଳେ ପାଣ୍ଡ୍ୟା ମାତ୍ର ୧୪ଟି ବଲ୍ ଖେଳି ୫ଟି ବିଶାଳ ଛକା ଲଗାଇଥିଲେ। ପୂର୍ବରୁ ଓପନର କ୍ୱିଣ୍ଟନ୍ ଡି’କକ୍ ୨୫ ବଲ୍‌ରେ ୫ଟି ଚୌକା ଓ ଗୋଟିଏ ଛକା ସହ ୪୦ ରନ୍ କରିଥିଲେ। ଅଧିନାୟକ ତଥା ଓପନର ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ବିଦାୟ ନେଇଥିଲେ ଓ କାଇରନ୍ ପୋଲାର୍ଡ ମଧ୍ୟ ଶୂନରେ ଆଉଟ୍ ହୋଇଥିଲେ। ଦିଲ୍ଲୀ ପକ୍ଷରୁ ରବିଚନ୍ଦ୍ରନ୍ ଅଶ୍ୱିନ୍ ୩ଟି ୱିକେଟ୍ ନେଇଥିଲେ।

୨୦୧ ରନ୍‌ର ଟାର୍ଗେଟ୍ ପାଇଥିବା ଦିଲ୍ଲୀ ଖାତା ଖୋଲିବା ପୂର୍ବରୁ ପୃଥ୍ୱୀ ଶ’, ଶିଖର ଧୱନ୍ ଓ ଆଜିଙ୍କ୍ୟ ରାହାଣେଙ୍କ ୱିକେଟ୍ ହରାଇଥିଲା। ପରେ ଅଧିନାୟକ ଶ୍ରେୟସ୍ ଆୟର୍ ୧୨ ଓ ଋଷଭ ପନ୍ତ୍ ୩ ରନ୍ କରି ଆଉଟ୍ ହେବା ଫଳରେ ୪୧ ରନ୍ ମଧ୍ୟରେ ଦିଲ୍ଲୀର ୫ଟି ୱିକେଟର ପତନ ଘଟିଥିଲା। ଷଷ୍ଠ ୱିକେଟ୍‌ରେ ମାର୍କସ୍ ଷ୍ଟୋଇନିସ୍ ଓ ଅକ୍ଷର ପଟେଲ୍ ୭୧ ରନ୍ ଯୋଡ଼ି ସ୍ଥିତି ସୁଧାରିଥିଲେ ହେଁ ଏହି ଯୋଡ଼ି ଭାଙ୍ଗିବା ପରେ ଦିଲ୍ଲୀ ପରାଜୟ ସୁନିଶ୍ଚିତ ହୋଇଯାଇଥିଲା। ଷ୍ଟୋଇନିସ୍ ୬ଟି ଚୌକା ଓ ୩ଟି ଛକା ସହ ୬୫ ଏବଂ ଅକ୍ଷର ୨ଟି ଚୌକା ଓ ୩ଟି ଛକା ସହ ୪୨ ରନ୍ କରିଥିଲେ। ମୁମ୍ବାଇ ପକ୍ଷରୁ ଜସପ୍ରୀତ୍ ବୁମ୍‌ରା ୪ଟି ୱିକେଟ୍ ନେଇ ସମୁଦାୟ ୨୭ଟି ୱିକେଟ୍ ସହ ପର୍ପଲ୍ କ୍ୟାପ୍ ଦୌଡ଼ରେ ସର୍ବାଗ୍ରେ ଅଛନ୍ତି। ଏହାଛଡ଼ା ସାଥୀ ବୋଲର୍ ଟ୍ରେଣ୍ଟ୍ ବୋଲ୍ଟ ବି ୨ଟି ୱିକେଟ୍ ନେଇଥିଲେ।