କିଛି ଦିନର ନିରବତା ପରେ ପୁଣି ସ୍ଥିତି ଜାହିର କଲା ମାଓ ସଂଗଠନ: କେକେବିଏନ ମାଓ ସଂଗଠନର ବ୍ୟାନର ଜାରି

ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ଥାନା ଦାରିଙ୍ଗବାଡି ଛକ ନିକଟ ଧୁଙ୍ଗିଆଦିଆ ଘାଟିରେ ଆଜି ସକାଳୁ ଏକ ମାଓ ପୋଷ୍ଟର ଝୁଲୁଥିବା ଦେଖିବାକୁ ମିଳିଛି। କେକେବିଏନ ମାଓ ସଂଗଠନ ପକ୍ଷରୁ ଏହି ବ୍ୟାନର ଜାରି କରାଯାଇଥିବା ବେଳେ ଏଥିରେ ଅଗଷ୍ଟ ୧୮ ରୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି।

ପୂର୍ବରୁ ମୃତ୍ୟୁ ହୋଇଥିବା ମାଓ କ୍ୟାଡ଼ର ମାନଙ୍କୁ ସହିଦର ଆଖ୍ୟା ଦିଆଯାଇଥିବା ବେଳେ ବିପ୍ଳବୀ ଲାଲ ସଲାମ ଲେଖାଯାଇଥିବା ଦେଖିବାକୁ ମିଳିଛି। ଗତ ୩ ମାସ ମଧ୍ୟରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ପୁଲିସ ଓ ମାଓବାଦୀ ମଧ୍ୟରେ ୬ ଥର ଗୁଳିବିନିମୟ ହୋଇଥିଲା। ପୁଲିସ ଏନକାଉଣ୍ଟରରେ ୭ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଥିଲା। ଏହାପରେ ମାଓବାଦୀ କିଛିଦିନ ନୀରବ ରହିଥିଲା। ଆଜି ପୁଣି ଥରେ ବ୍ୟାନର ଜାରି କରି ଅଞ୍ଚଳରେ ନିଜର ସ୍ଥିତି ଜାହିର କରିଛି ମାଓ ସଂଗଠନ।