ଭୁବନେଶ୍ୱର,ଏନ୍ଏନ୍ଏସ୍: କଂଗ୍ରେସ ପୁଣି ଉଠାଇଲା ମମିତା ମେହେର ପ୍ରସଙ୍ଗ। ମମିତା ହତ୍ୟା ପ୍ରସଙ୍ଗରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସାମିଲ ଥିବା ଅଭିଯୋଗ କରିଛି କଂଗ୍ରେସ। ମନ୍ତ୍ରୀ ରାୟପୁର ଯିବା ନେଇ ପୂର୍ବରୁ ମନା କରୁଥିଲେ। ସେ ଅକ୍ଟୋବର ୧୫ ତାରିଖରେ ରାୟପୁର ଯିବା ସହ ଚଣ୍ଡିଗଡ଼ ଯାଇ ୧୮ ତାରିଖରେ ରାୟପୁର ଦେଇ ଓଡ଼ିଶା ଫେରିଛନ୍ତି ବୋଲି କଂଗ୍ରେସ କହିଛି। ଏନେଇ ଦଳ ଏକ ଭିଡିଓ ବି ଜାରି କରିଛି। ମମିତା ମେହେର ପ୍ରସଙ୍ଗରେ ଶୁକ୍ରବାର ପୁଲିସ ଚାର୍ଜସିଟ ଦାଖଲ କରିଛି। ଏଥିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା’ ଡ୍ରାଇଭର ରାଧେର ନାଁ ରହିଛି।
ହତ୍ୟାକାଣ୍ଡରେ ବିବାଦୀୟ ଥିବା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ। ତେଣୁ ପୁଲିସ କେବଳ ଦୁଇ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଘଟଣାରେ ଜଡ଼ିତ ଥିବା ସେକ୍ସ ସ୍କାଣ୍ଡାଲ ଯାହା ହତ୍ୟାର କାରଣ ସେ ସମ୍ପର୍କରେ ତଦନ୍ତ ନକରି ଦୋଷୀଙ୍କୁ ଖସାଇଦେବା ଯୋଜନା କରିଛି ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ନିର୍ବାଚନ ଗଣମାଧ୍ୟମ ମୁଖ୍ୟ ତଥା ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଅଭିଯୋଗ କରିଛନ୍ତି।
କଂଗ୍ରେସର ଅଭିଯୋଗ ଅନୁଯାୟୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସମ୍ପୃକ୍ତି ଥିବାନେଇ ମମିତାଙ୍କ ମାତା ପିତା ଅଭିଯୋଗ କରିଥିଲେ। କେବଳ ସମ୍ପୃକ୍ତି ନୁହେଁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଖସାଇଦେବା ଓ ଘଣ୍ଟଘୋଡ଼ାଇବା ପଛରେ ଶ୍ରୀ ମିଶ୍ରଙ୍କର ଭୂମିକା ସନ୍ଦେହଜନକ ଥିବା ଅଭିଯୋଗ ହୋଇଥିଲା। ହତ୍ୟାର କାରଣ ମହାଲିଙ୍ଗ କଲେଜରେ ଚାଲୁଥିବା ସେକ୍ସ ସ୍କାଣ୍ଡାଲ ଓ ଏହି ସ୍କାଣ୍ଡାଲରେ ପ୍ରତିଭାଶାଳୀ ଲୋକଙ୍କର ସମ୍ପୃକ୍ତି ସମ୍ପର୍କରେ ପୁଲିସ ଠିକ ଭାବେ ତଦନ୍ତ କରିନାହିଁ। ସେହିପରି ସେ କେବେ ଫେରାର ନଥିବା ଓ ଓଡ଼ିଶାରେ ଥିବା ଦାବି କରି ବିରୋଧୀଙ୍କୁ ଶ୍ରୀ ମିଶ୍ର ତାହାର ପ୍ରମାଣ ମାଗିଥିଲେ।
ଆଜି ମନ୍ତ୍ରୀଙ୍କର ରାୟପୁରରୁ ଚଣ୍ଡିଗଡ଼ ଗସ୍ତର ଏକ ଭିଡିଓ ଜାରି କରି ତାଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି କଂଗ୍ରେ ମୁଖପାତ୍ର ଶ୍ରୀ ମହାପାତ୍ର। ମନ୍ତ୍ରୀ ସରକାରୀ କାମରେ ଯାଇଥିଲେ ନା ବ୍ୟକ୍ତିଗତ କାମରେ ଯାଇଥିଲେ ତାହା ସ୍ପଷ୍ଟ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି। ଏଥିସହ ମନ୍ତ୍ରୀ ଦୂରରୁ ପୁଲିସ ସହ ଯୋଗାଯୋଗ ରଖି ଘଟଣାକୁ ଚପାଇ ଦେବା ଉଦ୍ୟମ କରୁଥିଲେ କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିବା ସହ ଦୋଷୀକୁ ଦଣ୍ଡିତ କରିବା ପାଇଁ ପୁଲିସ ଉଦ୍ୟମ କରିବା ପରିବର୍ତ୍ତେ ଦୋଷୀ ଖସିଯିବା ପାଇଁ ବାଟ ତିଆରି କରାଯାଇଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।