ପୁଣି ନିର୍ଭୟା ଦୋଷୀଙ୍କ ଫାଶୀ ଟଳିପାରେ, ଶୁଣାଣି ବେଳେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇନଥିବା ଅଭିଯୋଗ କରି ରାଜକ୍ଷମା ଆବେଦନ କଲା ଅକ୍ଷୟ

ନୂଆଦିଲ୍ଲୀ,ଏଜେନ୍ସି: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ଘଟଣାର ନୂଆମୋଡ଼। ବାରମ୍ବାର ଫାଶୀରୁ ବର୍ତ୍ତିବାକୁ ଚେଷ୍ଟା କରୁଛନ୍ତି ଅଭିଯୁକ୍ତକାରୀ। ଆଇନର ଗଳାବାଟ ଦେଇ ଖସିଯିବାକୁ ନିରନ୍ତର ପ୍ରୟାସ କରୁଛନ୍ତି ନିର୍ଭୟା ଦୋଷୀ। ସମସ୍ତ କାନୁନ ବିକଳ୍ପ ଶେଷ ହୋଇ ଯାଇଥିଲେ ମଧ୍ୟ ଫାଶୀରୁ ବର୍ତ୍ତିବାକୁ ପୁଣି ଥରେ ରାଜକ୍ଷମା ଆବେଦନ କରିଛି ଅଭିଯୁକ୍ତ ଅକ୍ଷୟ। ଏହା ପୂର୍ବରୁ ଅକ୍ଷୟ ରାଜକ୍ଷମା ଆବେଦନ କରିଥିଲା। ଯାହାକୁ ରାଷ୍ଟ୍ରପତି ଖାରଜ କରିଥିଲେ। ଅକ୍ଷୟର ଓକିଲ ଏପି ସିଂହ ଦାବି କରିଛନ୍ତି ଯେ, ଅକ୍ଷୟର ମାତାପିତା ପୂର୍ବଥର ଆବେଦନ କରିଥିବା ରାଜକ୍ଷମା ଯାଚିକାର ସମସ୍ତ ପ୍ରକ୍ରିୟା ଶେଷ ହୋଇନାହିଁ।

ପୂର୍ବଥର ଅକ୍ଷୟର ରାଜକ୍ଷମା ଯାଚିକା ଖାରଜ ହେବାକୁ ଏକ ଅଧୁରା ପ୍ରକ୍ରିୟା ଦାବି କରୁଛନ୍ତି ଅକ୍ଷୟର ଓକିଲ ଏପି ସିଂହ। ଏଥିପାଇଁ ସେ ପୁଣି ଥରେ ରାଜକ୍ଷମା ଆବେଦନ କରିଛନ୍ତି। ସେପଟେ ଫାଶୀ ତାରିଖ ନିକଟବର୍ତ୍ତୀ ହେବାରୁ ଅଭିଯୁକ୍ତମାନେ ଆଇନ ବିକଳ୍ପର ପୂର୍ଣ୍ଣ ପାଇଦା ଉଠାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଆଇନ ବିକଳ୍ପ ଆପଣେଇ ନିର୍ଭୟା ଘଟଣାର ଅଭିଯୁକ୍ତକାରୀଙ୍କ ଓକିଲ ଏଯାଏଁ ୨ ଥର ଫାଶୀ ତାରିଖ ଟାଳି ଦେଇଛନ୍ତି।

ଗତ ଜାନୁଆରୀ ୨୨ରେ ଧାର୍ଯ୍ୟ ହୋଇଥିବା ଫାଶୀ ତାରିଖକୁ ନିର୍ଭୟା ଅଭିଯୁକ୍ତକାରୀମାନେ ଟାଳିବାରେ ସକ୍ଷମ ହୋଇଥିବା ବେଳେ ଏବେ ପୁଣି ଥରେ ଫେବୃଆରୀ ୧ରେ ହେବାକୁ ଥିବା ଫାଶୀ ତାରିଖକୁ ଗଡ଼ାଇବାରେ ସକ୍ଷମ ହୋଇଛନ୍ତି।