ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୩ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଛୁଇଁଲା। ତେବେ ୩ ନୂଆ କେସ୍ ଭଦ୍ରକ ବାସୁଦେବପୁରର ଅଞ୍ଚଳର ବୋଲି ଜଣାପଡିଛି। ସମସ୍ତ ଆକ୍ରାନ୍ତଙ୍କ କୋଲକାତା ସହ ଲିଙ୍କ ଥିବା ସୂଚନା ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ।
ଏହାରି ଭିତରେ ବାସୁଦେବପୁରରେ ମୋଟ ୬ ଜଣ ଆକ୍ରାନ୍ତ ବାହାରିଲେଣି। ଏହା ସହ ଭଦ୍ରକରେ ୧୧ରେ ପହଞ୍ଚିଛି ପଜିଟିଭ ସଂଖ୍ୟା। ତେବେ ଆଜି ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ ସମସ୍ତେ ପୁରୁଷ ବୋଲି ଜଣାପଡିଛି। ୪୦ ବର୍ଷୀୟ, ୫୫ ବର୍ଷୀୟ ଓ ୩୫ ବର୍ଷୀୟ ତିନି ଜଣ ପୁରୁଷ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ରାଜ୍ୟରେ ୫୧ ଆକ୍ଟିଭ କେସ ଥିବାବେଳେ ଆଜି ଆଉ ଜଣେ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମଙ୍ଗଳବାର ୨୦୨୭ ନମୁନା ପରୀକ୍ଷା ହୋଇଛି।
ଗତ ତିନି ଦିନ ମଧ୍ୟରେ ରାଜ୍ୟରେ ୨୧ଟି ପଜିଟିଭ କେସ୍ ସାମ୍ନାକୁ ଆସିଛି। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁରରେ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ଆଉ ୫ଜଣ ଚିହ୍ନଟ ହୋଇଥିଲେ। ଆଜି ପୁଣି ୩ ଆକ୍ରାନ୍ତ ଚିହ୍ନ ହେବା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି। ବିଶେଷ କରି ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା। ଯାହାକି ରାଜ୍ୟ ପାଇଁ ଆହୁରି ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି।