ନୟାଗଡ,ଏନ୍ଏନ୍ଏସ୍: ଓଡ଼ିଶାର ଅନନ୍ୟ ସାଲବେଗ ତଥା ବିଶିଷ୍ଠ କଣ୍ଠଶିଳ୍ପୀ ଭାବେ ଜଣାଶୁଣା ଭିକାରି ମହମ୍ମଦଙ୍କ ପରଲୋକ ହୋଇଯାଇଛି। ଗତ କିଛି ଦିନ ଧରି ସେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚି଼କିତ୍ସିତ ହେଉଥିବା ବେଳେ ଗତକାଲି ରାତ୍ରି ୧୧ଟା ୪୫ ମିନିଟରେ ଇହଲୀଳା ସମ୍ବରଣ କରିଛନ୍ତି। ତାଙ୍କ ମୃତ୍ୟୁରେ ଓଡ଼ିଆ ଭଜନ ଜଗତର ବହୁ ବିଶିଷ୍ଠ କଣ୍ଠଶିଳ୍ପୀ ଶୋକ ପ୍ରକାଶ କରିଥିବା ବେଳେ ନୟାଗଡ଼ ଓ ତାଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ପରିବାର ବର୍ଗଙ୍କଠାରୁ ମିଳିଥିବା ସୂଚନା ମୁତାବକ କିଛି ମାସ ତଳେ ପ୍ରଥମେ ପକ୍ଷାଘାତଗ୍ରସ୍ତ ହେବା ପରେ ସୁସ୍ଥ ହୋଇଥିଲେ ହେଁ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିଲା। ଆଉ ଗତ ବୁଧବାର ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ପ୍ରଥମେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଛି।