କରୋନାରେ ପ୍ରଯୋଜକ ଅନୀଲ ସୁରୀଙ୍କ ପରଲୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ବଲିଉଡର ଜଣାଶୁଣା ପ୍ରଯୋଜକ ଅନୀଲ ସୁରୀଙ୍କର ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଅନୀଲଙ୍କ ଭାଇ ତଥା ପ୍ରଯୋଜକ ରାଜୀବ ସୁରୀଙ୍କ କହିବାନୁସାରେ, ଜୁନ ୨ ତାରିଖରୁ ସେ ଜ୍ୱରରେ ପୀଡ଼ିତ ଥିଲେ। ପରେ ତାଙ୍କ ଅବସ୍ଥା ଆହୁରି ଖରାପ ହେଲା ଓ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତେବେ ଲୀଳାବତୀ ଓ ହିନ୍ଦୁଜା ଭଳି ବଡ଼ ହସ୍ପିଟାଲକୁ ନିଆଯାଇଥିଲେ ହେଁ ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା କରିବାକୁ ମନା କରିଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ରାଜୀବ। ବୁଧବାର ରାତିରେ ତାଙ୍କୁ ଆଡଭାନ୍ସ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ନିଆଯାଇଥିଲା। ସେ କରୋନାରେ ଆକ୍ରାନ୍ତ ଥିଲେ।

ଗୁରୁବାର ସନ୍ଧ୍ୟା ପ୍ରାୟ ସାତଟା ବେଳକୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ରାଜୀବ କହିଥିଲେ। ଶୁକ୍ରବାର ସକାଳେ ମୁମ୍ବାଇର ଓଶିୱାରା ଶବଦାହ ଗୃହରେ ଅନୀଲଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ରାଜୀବଙ୍କ ବ୍ୟତୀତ ଅନୀଲଙ୍କ ପରିବାରରେ ପତ୍ନୀ ଓ ଦୁଇ ସନ୍ତାନ ଅଛନ୍ତି। ସୂଚନାଯୋଗ୍ୟ, ଅନୀଲ ସୁରୀ ୧୯୭୮ରେ ରାଜ କପୁର, ଜିତେନ୍ଦ୍ର ଓ ରେଖାଙ୍କୁ ନେଇ ‘କର୍ମଯୋଗୀ’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏ ଫିଲ୍ମ ହିଟ୍ ସାବ୍ୟସ୍ତ ହୋଇଥିଲା। ଅନୀଲଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ରାଜତିଲକ୍’ ମଧ୍ୟ ଭଲ ବ୍ୟବସାୟ କରିଥିଲା। ଏଥିରେ ଦେଖିବାକୁ ମିଳିଥିଲେ ସୁନୀଲ ଦତ୍ତ, ରାଜ କୁମାର, ହେମା ମାଲିନୀ, ଧର୍ମେନ୍ଦ୍ର, ରୀନା ରାୟ, ସାରିକା ଓ କମଲ୍ ହାସନ୍।