ଜମି ଅଧିଗ୍ରହଣ ପରେ କ୍ଷତିପୂରଣ ନମିଳିବାରୁ ଆନ୍ଦୋଳନ ପାଇଁ କ୍ଷତିଗ୍ରସ୍ତଙ୍କ ସଜବାଜ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ବ୍ଲକ ଅନ୍ତର୍ଗତ ଖୁଲୁଣ୍ଡିକୁଦର ଗ୍ରାମଠାରୁ ବାରକୋଟ ବଜାର ଛକ ପର୍ଯ୍ୟନ୍ତ ୨୩ ନଂ ଜାତୀୟ ରାଜପଥ ପ୍ରଶସ୍ତୀକରଣ ପାଇଁ ଜାତୀୟ ରାଜପଥ ପ୍ରାଧୀକରଣ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ସମ୍ବନ୍ଧୀୟ କୌଣସି ସୂଚନା ପ୍ରଦାନ କରାଯାଉନଥିବାରୁ ସେମାନେ ପ୍ରଜା ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି। ଏନେଇ ଖୁଲିଣ୍ଡି କୁଦର ଗ୍ରାମର ବହୁ ଜନସାଧାରଣ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାସହ ଚଳିତ ମାସ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଲିଖିତ ଚେତାବନୀ ଦେଇଥିବା ଜଣାପଡ଼ିଛି।

ମିଳିଥିବା ରିପୋର୍ଟ ମୁତାବକ, ୨୩ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଖୁଲଣ୍ଡିକୁଦରଠାରୁ ବାରକୋଟ ବଜାର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଜମି ଅଧିଗ୍ରହଣ ପାଇଁ ୨ବର୍ଷ ପୂର୍ବରୁ ବିଭିନ୍ନ ଖବରକାଗଜରେ ଇସ୍ତିହାର ପ୍ରକାଶ ପାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୩ ଜି ପ୍ରକ୍ରିୟାରେ ମାପ ଓ ମୂଲ୍ୟାୟନ ହୋଇସାରିଥିଲେ ମଧ୍ୟ କ୍ଷତିଗ୍ରସ୍ତ ପ୍ରଜାଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ। ସେହିପରି ନିର୍ମାଣକାରୀ ସଂସ୍ଥା ଗାୟତ୍ରୀ କନଷ୍ଟ୍ରକ୍ସନ ପକ୍ଷରୁ ଉକ୍ତ ରାସ୍ତାର ନିର୍ମାଣ ମନମୁଖୀ ଭାବେ କରାଯାଉଥିବାରୁ ବର୍ଷା ସମୟରେ ରାସ୍ତାରେ ପାଣି ଜମୁଛି ଓ ଶୁଖିଲା ସମୟରେ ଧୂଳି ଯୋଗୁ ଉକ୍ତ ରାସ୍ତାରେ କୁହୁଡିର ଭ୍ରମ ସୃଷ୍ଟି ହେଉଛି। ଏଥିସହିତ ଉକ୍ତ ରାସ୍ତା ପାଇଁ ଜମି ହରାଇଥିବା ଜନସାଧାରଣ ବିପଦସଙ୍କୁଳ ଅବସ୍ଥାରେ ଉକ୍ତ ରାସ୍ତାରେ ଯିବା ଆସିବା କରି ଦୁର୍ଘଟଣାର ଶିକାର ହେଉଥିବାର ଅଭିଯୋଗ କରିଛନ୍ତି। ଏନଏଚଏଆଇ ଓ ରାଜସ୍ୱ ବିଭାଗ ପକ୍ଷରୁ ଉକ୍ତ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟାର ସମାଧାନ ଚଳିତ ମାସ ଶେଷ ସୁଦ୍ଧା କରାନଗଲେ କ୍ଷତିଗ୍ରସ୍ତ ପ୍ରଜାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଚନ୍ଦ୍ର ନାୟକ, ବାଳମୁକୁନ୍ଦ ପ୍ରଧାନ, ସାବିତ୍ରୀ କିସାନ ଓ ରବୀ ପ୍ରଧାନ ପ୍ରମୁଖ ଲିଖିତ ଚେତାବନୀ ଦେଇଥିବା ଜଣାପଡ଼ିଛି।