ଟ୍ରାଫିକ୍ ନିୟରେ ୬ ମାସର କୋହଳ ପରେ ବର୍ତ୍ତମାନ ପ୍ରଶାସନରେ ତତ୍ପରତା ଦେଖିବାକୁ ମିଳିଛି ପ୍ରଥମ ଦିନରେ ୮ ଲକ୍ଷ ଫାଇନ୍ ଆଦାୟ ରାଜ୍ୟ By Nitidin On Mar 2, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: କୋହଳ ସରିବାର ପ୍ରଥମ ଦିନରୁ ରାଜଧାନୀରେ ଜୋର୍ଦାର ଫାଇନ୍ ଆଦାୟ ହୋଇଛି। ଏହାଦେଖି ଗାଡ଼ିଚାଳକମାନେ ଭୟଭୀତ ହୋଇପଡ଼ିଛନ୍ତି। ୬ ମାସର ମହଲତ ନେଇ ଅଧିକାଂଶ ଲୋକେ ଗାଡ଼ିର କାଗଜପତ୍ର ଠିକ୍ କରିଛନ୍ତି। ଏମିତିକି ଆହୁରି ଅନେକ ଲୋକ ତାଙ୍କ ଡକ୍ୟୁମେଣ୍ଟ୍ ଏପର୍ଯ୍ୟନ୍ତ ଠିକ୍ କରିପାରିନାହାନ୍ତି। ମହଲତ ପରେ ଆରମ୍ଭ ଦିନରୁ ୭ ଲକ୍ଷ ୬୭ ହଜାର ଟଙ୍କାର ଫାଇନ୍ ଆଦାୟ କରାଯାଇଛି। ରବିବାର ରାଜଧାନୀରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ କମିଶନରେଟ ପୁଲିସ ଓ ଆର୍ଟିଓ ମିଳିତ ହୋଇ ମୋଟାଅଙ୍କର ଫାଇନ୍ ଆଦାୟ କରିଛି। ଭୁବନେଶ୍ୱର ଆର୍ଟିଓ-୨ ପକ୍ଷରୁ ୨ଲକ୍ଷ ୯୨ହଜାର ଟଙ୍କାର ୧୦୫ଟି ଚାଲାଣ କଟାଯାଇଛି। ଏଥିମଧ୍ୟରୁ ଘଟଣାସ୍ଥଳରେ ନଗଦ ୭୯ହଜାର ୨୦୦ଟଙ୍କା ଆଦାୟ ହୋଇଛି। ସେହିପରି ସ୍ପିଡ୍ ଡ୍ରାଇଭିଂ କରିବା ନେଇ ଭୁବନେଶ୍ୱର ଆର୍ଟିଓ-୨ପକ୍ଷରୁ ୪୨ ଜଣ ଚାଳକଙ୍କଠାରୁ ଫାଇନ୍ ଆଦାୟ କରାଯାଇଛି। ଏହାସହ ଆର୍ଟିଓ-୧ ପକ୍ଷରୁ ୧୦୦ଟି ଚାଲାଣ କଟାଯାଇଥିବାବେଳେ ୧ ଲକ୍ଷ ଟଙ୍କା ଫାଇନ୍ ଆଦାୟ ହୋଇଛି। ସେହିପରି ଭୁବନେଶ୍ୱର ଟ୍ରାଫିକ୍ ଥାନା ପକ୍ଷରୁ ୫୦୨ଟି ଗାଡ଼ିର ଚାଲାଣ କଟାଯାଇଛି। ଏ ବାବଦକୁ ୩ଲକ୍ଷ ୭୫ହଜାର ଟଙ୍କା ଫାଇନ୍ ଆଦାୟ ହୋଇଛି। ଏହାସହ ୨୩ଟି ଗାଡ଼ି ଜବତ ହୋଇଥିବା ଟ୍ରାଫିକ୍ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି। ରାଜମହଲ ଛକରୁ ଆରମ୍ଭ କରି ସହରର ଉପକଣ୍ଠ ଅଞ୍ଚଳଗୁଡ଼ିକରେ ପୁଲିସ ପକ୍ଷରୁ ଜୋର୍ଦାର ଯାଞ୍ଚ ହୋଇଥିଲା। ସହରର ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା, ପଟିଆ, ଇନ୍ଫୋସିଟି, ନନ୍ଦନକାନନ, ବାରଙ୍ଗ, ଚନ୍ଦକା ଜାତୀୟ ରାଜପଥ, ସିଆର୍ପି, ଖଣ୍ଡଗିରି, ଡେଲ୍ଟା, ପାତ୍ରପଡ଼ା, ତମାଣ୍ଡୋ, କଳ୍ପନା, ରାଜମହଲ, ଏଜି, ବାଣୀବିହାର, ରସୁଲଗଡ଼, ପଳାଶୁଣି, ସାଇମନ୍ଦିର ଆଦି ବିଭିନ୍ନ ସ୍ଥାନରେ ଆର୍ଟିଓ ଏବଂ ପୁଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା। କିନ୍ତୁ ରାଜମହଲ ଛକରେ ଫାଇନ୍ ଆଦାୟ ହେବାବେଳେ ପୁଲିସକୁ ନୟାନ୍ତ ହେବାକୁ ପଡ଼ିଛି। ତଥାପି ପୁଲିସ କର୍ମଚାରୀମାନେ ତାଙ୍କ କର୍ତ୍ତବ୍ୟ କରିବା ସହ ଲୋକଙ୍କୁ ବୁଝାଇ ତାଙ୍କଠାରୁ ଫାଇନ୍ ଆଦାୟ କରିଛନ୍ତି। ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ପରିଚାଳନାକୁ ସୁଦୃଢ଼ କରିବା ଲାଗି ନୂତନ ମୋଟରଯାନ ଆଇନ୍ ଲାଗୁ କରାଯାଇଛି। ଦେଶର ଅନ୍ୟ ରାଜ୍ୟରେ ଏହି ନୂଆ ନିୟମ ଲାଗୁ ହେଉଥିବାବେଳେ ଓଡ଼ିଶାରେ ୬ ମାସ କୋହଳ କରାଯାଇଥିଲା। ଏହି କୋହଳ ଅବଧି ସରିବା ପରେ ଏଣିକି ଗାଡ଼ିମୋଟର ଯାଞ୍ଚକୁ ଜୋର୍ଦାର କରାଯାଇଛି। କେବଳ କାଗଜପତ୍ର ନୁହେଁ ବରଂ ଅଧିକ ବେଗରେ ଗାଡ଼ି ଚାଳନା, ରେଡ୍ ଲାଇଟ୍ ଅତିକ୍ରମ କରିବା, ମଦ ପିଇ ଗାଡ଼ି ଚଳାଇବା, ରଙ୍ଗ୍ରୁଟ୍ରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବାବେଳେ ମୋବାଇଲ୍ରେ କଥାହେବା, ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଇବା, ଦୁଇ ଚକିଆ ଗାଡ଼ିରେ ୩ ଜଣ ବସିବା, ହେଲ୍ମେଟ ନପିନ୍ଧିବା, ସିଟ୍ବେଲ୍ଟ ନପିନ୍ଧିବା ଓ ଓଭରଲୋଡିଂ ଗାଡ଼ି ଚାଳନା ଆଦି ୧୦ଟି କ୍ଷେତ୍ରରେ ନିୟମ ଭାଙ୍ଗିଲେ ଗାଡ଼ି ଚାଳକଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି। ପୁଲିସକୁ ମହିଳାଙ୍କ ନାଲି ଆଖି ରାଜମହଲ ଛକ ଓଭରବ୍ରିଜ୍ ତଳେ ଜଣେ ମହିଳା ରଙ୍ଗ୍ରୁଟ୍ରେ ଗାଡ଼ି ଚଳାଉଥିଲେ। ଏହି ସମୟରେ ପୁଲିସ କବଳରେ ସେ ପଡ଼ିଯାଇଥିଲେ। ପୁଲିସ ତାଙ୍କ ଗାଡ଼ି ଜବତ କରି ଥାନାକୁ ନେବା ସହ ଜୋରିମାନା ଦେବାକୁ କହିଥିଲା, କିନ୍ତୁ ଏତିକିବେଳେ ମହିଳା ଜଣକ ଚିହିଁକି ଉଠିଥିଲେ। ସେ ରାଗରେ ତମତମ ହୋଇ ପୁଲିସକୁ ନାଲି ଆଖି ଦେଖାଇବା ସହ ଆଙ୍ଗୁଳି ଉଠାଇ ଫାଇନ୍ ଦେବେନାହିଁ ବୋଲି ଧମକ ଦେଇଥିଲେ। ଏହାସହ ତାଙ୍କ ଗାଡ଼ି କେହି ନେଇପାରିବେ ନାହିଁ ବୋଲି ଦୃଢ଼ତାର ସହ କହିଥିଲେ। ଏମିତିକି ରାତି ପାହିଯିବ ପଛେ ସେ ଛକରେ ଛିଡ଼ା ହେବେ। କିନ୍ତୁ ତାଙ୍କ ଗାଡ଼ି ପୁଲିସକୁ ଦେବେନାହିଁ ବୋଲି କହିଥିଲେ। ଏହାସହ ରଙ୍ଗ୍ରୁଟ ରାସ୍ତାରେ ‘ନୋ ଏଣ୍ଟ୍ରି’ ବୋର୍ଡ କାହିଁକି ଲଗାଯାଇନାହିଁ ବୋଲି ପୁଲିସକୁ ପ୍ରଶ୍ନ କରିଥିଲେ। ଏମିତିକି ସେ ଜୋରିମାନା ନ ଦେଇ ସେଠାରୁ ଚାଲିଯାଇଥିବା ଜଣାପଡ଼ିଛି। ଗାଡ଼ି ଜବତକୁ ନେଇ ତାତିଲେ ଲୋକେ ରାଜଧାନୀରେ ରଙ୍ଗ୍ରୁଟ୍ରେ ଗଲେ ଗାଡ଼ି ଜବତ ହେବ ବୋଲି ପୂର୍ବରୁ ନିୟମ ହୋଇଛି। ଏନେଇ ପୁଲିସ ପକ୍ଷରୁ ରଙ୍ଗ୍ରୁଟରେ ଯାଉଥିବା ଚାଳକଙ୍କଠାରୁ ତାଙ୍କର ଗାଡ଼ି ଜବତ କରାଯାଉଛି। ଯାହାକୁ ନେଇ କୋହଳର ପ୍ରଥମ ଦିନରେ ଲୋକମାନେ ଉତ୍ତେଜିତ ହୋଇପଡ଼ିଛନ୍ତି। ସହରର ଅଧିକାଂଶ ସ୍ଥାନରେ ରଙ୍ଗ୍ରୁଟ୍ରେ ଯାଉଥିବା ଚାଳକଙ୍କଠାରୁ ପୁଲିସ ତାଙ୍କ ଗାଡ଼ି ଜବତ କରି ଟ୍ରାଫିକ୍ ଥାନାକୁ ନେଇଯାଇଥିଲା। ଯେଉଁଥି ପାଇଁ ଚାଳକମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହି ନିୟମକୁ ଅନୁଚିତ୍ ବୋଲି କହିଛନ୍ତି। ଏହାସହ ଯେତେ ଟଙ୍କା ଫାଇନ୍ ସେତେ ଦେବାକୁ ଆମେ ରାଜି ଅଛୁ, କିନ୍ତୁ କାହିଁକି ଆମ ଗାଡ଼ି ଜବତ କରାଯାଉଛି ବୋଲି ଅଧିକାଂଶ ଲୋକେ ପ୍ରଶ୍ନ କରିଛନ୍ତି। ପୁଲିସକୁ ଡରି ଗଳିକନ୍ଦିରେ ଭିଡ଼ ସହରର ମୁଖ୍ୟରାସ୍ତାଗୁଡ଼ିକରେ ଫାଇନ୍ ଆଦାୟ ହେଉଥିବା ଦେଖି ଅଧିକାଂଶ ଗାଡ଼ିଚାଳକ ଗଳିକନ୍ଦି ରାସ୍ତାରେ ନିଜ ଲକ୍ଷ୍ୟସ୍ଥଳକୁ ଯାଇଥିଲେ। ଖାସ୍ କରି ରାଜମହଲ ଛକ, ରୂପାଲି ଛକ, ନାଲ୍କୋ ଛକ ଏହି ସ୍ଥାନଗୁଡ଼ିକର ମୁଖ୍ୟ ରାସ୍ତାରେ ନଯାଇ ପୁଲିସକୁ ଡରି ଚାଳକମାନେ ଗଳିକନ୍ଦି ଖୋଜିଥିଲେ। ସେହିପରି ବିନା ଲାଇସେନ୍ସଧାରୀମାନେ ପୁଲିସକୁ ଦେଖିଲେ ଭୟ କରୁଛନ୍ତି। ରବିବାର ରାଜଧାନୀରେ ପ୍ରମୁଖ ଛକଗୁଡ଼ିକରେ ଗାଡ଼ିମୋଟର ଚେକିଂ ଚାଲିଥିବାବେଳେ ଅଧିକାଂଶ ଚାଳକ ପୁଲିସକୁ ଭୟ କରି ଆଗକୁ ନ ବଢ଼ି ପଛକୁ ଫେରିଯାଇଥିଲେ। ଏମିତିକି ପୁଲିସକୁ ଦେଖିଲେ ଡର ଲାଗୁଥିବା ସେମାନେ କହିଛନ୍ତି। ପୁଣି ବୁଲିବ ଡ୍ରୋନ୍! ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କୁ ପୁଣି ନଜର ରଖିବ ଡ୍ରୋନ୍। ପୂର୍ବରୁ ରାଜଧାନୀର ଜନଗହଳି ସ୍ଥାନ ରବୀନ୍ଦ୍ରମଣ୍ଡପରୁ ଏଜି ଛକ ରାସ୍ତାକୁ ଡ୍ରୋନ୍ ଜଗୁଥିଲା। ଏହି ରାସ୍ତାରେ ଓଭରଟେକିଂ କରି ଲୋକମାନେ ସବୁବେଳେ ଟ୍ରାଫିକ୍ ପୋଷ୍ଟ ନିକଟରେ ଯାଇ ଛିଡ଼ା ହୋଇଯାଉଥିଲେ। ଯାହାଦ୍ୱାରା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିଲା। ଏ ନେଇ ଟ୍ରାଫିକ୍ ଡିସିପି ସାଗରିକା ନାଥ ଏହି ରାସ୍ତାରେ ଡ୍ରୋନ୍ ଉଡ଼ାଇ ଟ୍ରାଫିକ୍ ନିୟମ ଅବଲମ୍ବନ କରୁଥିବା ଲୋକଙ୍କ ଉପରେ ନଜର ରଖୁଥିଲେ। ହେଲେ ସରକାରଙ୍କ ନିୟମ କୋହଳ ପରଠାରୁ ଏହା ଅଚଳ ହୋଇଯାଇଥିଲା। ଏମିତିକି ଡ୍ରୋନ୍ର ବ୍ୟବସ୍ଥା ହେବା ପରେ ସେହି ରାସ୍ତାରେ ଲୋକମାନେ ଓଭରଟେକିଂ କରି ଯିବା ପାଇଁ ଭୟ କରୁଥିଲେ। ତେବେ କୋହଳ ସରିଯାଇଥିବା ଯୋଗୁଁ ଏହି ବ୍ୟବସ୍ଥା ପୁଣି ଯଥାଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। Share