ଦେବଗଡ଼, ଏନ୍ଏନ୍ଏସ୍: ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିବା ଅଭିଯୋଗରେ କୁଣ୍ଢେଇଗୋଳା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କମାରପାଳ ଗାଁର କୁନା ଭୂତିଆ (୩୦)। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, କୁନୁ ଭୂତିଆ ଦେଢ଼ ବର୍ଷ ପୂର୍ବେ ଛେଣ୍ଡିପଦା ଥାନାଞ୍ଚଳରେ ବିବାହ କରିଥିବାବେଳେ ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି। ଏହାସତ୍ୱେ କୁନୁ ଉକ୍ତ ଗ୍ରାମର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ଏଥିସହିତ ଗତ ଜୁନ ୨୦ ତାରିଖରେ ଯୁବତୀଙ୍କୁ ବଳପୂର୍ବକ ଘରୁ ଉଠାଇ ନେଇ କିଛିଦିନ ବାହାରେ ରହିବା ପରେ ଗାଁରେ ଆଣି ଛାଡ଼ି ଯାଇଥିଲା। ତେବେ ଯୁବତୀ ଜଣକ ବିବାହ କରିବାକୁ ଜିଦ ଧରିବାରୁ ଅଭିଯୁକ୍ତ କୁନୁ ପୀଡ଼ିତାଙ୍କୁ ଧମକ ଦେଇଥିଲା। ଫଳରେ ପୀଡ଼ିତା ଜଣକ ପ୍ରତାରଣାର ଶିକାର ହୋଇଥିବା ଜାଣିବା ପରେ ଗତ ରବିବାର ଦିନ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ଥାନା ପୁଲିସ ଅଭିଯୁକ୍ତ କୁନୁ ବିରୁଦ୍ଧରେ ଦୁଷ୍କର୍ମ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ୪୮ ଘଣ୍ଟା ମଧ୍ୟରେ ଗିରଫ କରିଥିଲା।