ଦୀର୍ଘ ଦିନର ପ୍ରତୀକ୍ଷା ପରେ ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ଦିନର ପ୍ରତୀକ୍ଷା ପରେ ମିଳିଲା ଆମ୍ବୁଲାନ୍ସ ସେବା। ସ୍ୱାଭିମାନ ଅଞ୍ଚଳର ଜାନବାଇଠାରେ ଏହାକୁ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି, ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡ଼କାମି, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଚିତ୍ରକୋଣ୍ଡା ବିଡିଓ ଲରୀମୋନ ଖରସେଲ ଯୋଗଦେଇ ସ୍ୱାଭିମାନ ଅଞ୍ଚଳର ଲୋକଙ୍କୁ ଆଉ ପୂର୍ବ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି କହିଥିଲେ।

ଏହି ଆମ୍ବୁଲାନ୍ସ ଯୋଡାମ୍ବ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ରୋଗୀଙ୍କୁ ସେବା ଯୋଗାଇବ। ପୂର୍ବରୁ ରୋଗୀମାନେ ଖଟିଆ କିମ୍ବା ଭାରରେ ବୁହା ହୋଇ ମାଇଲ ମାଇଲ ବାଟ ଚାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଥିଲେ। ତେଣୁ ଏହି ସେବା ଆରମ୍ଭ ହେବା ପରେ ସେହି ଅଞ୍ଚଳର ୪ଟି ପଞ୍ଚାୟତ ଲୋକଙ୍କୁ ଏହି ଆମ୍ବୁଲାନ୍ସ ଗାଡି ସେବା ଯୋଗାଇବ। ତେବେ ଦୀର୍ଘ ଦିନଧରି ଉକ୍ତ ଅଞ୍ଚଳକୁ ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରି ଆସୁଥିବା ବେଳେ ଆଜି ଆମ୍ବୁଲାନ୍ସ ସେବା ମିଳିବାରୁ ଲୋକେ ଖୁସି ବ୍ୟକ୍ତ କରିଛନ୍ତି।