ଜିତିନ ପରେ ସଚ୍ଚିନ ବିଜେପିରେ ଯୋଗ ଦେବାକୁ ନେଇ ବଢ଼ୁଛି ଚର୍ଚ୍ଚା

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ଜିତିନ ପ୍ରସାଦ ବିଜେପିରେ ସାମିଲ ହେବା ପରେ ଏବେ ଦଳର ଆଉ ଜଣେ ଟାଣୁଆ ନେତା ସଚ୍ଚିନ ପାଇଲଟ ମଧ୍ୟ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି। ସଚ୍ଚିନ ଖୁବଶୀଘ୍ର ଦଳରେ ସାମିଲ ହେବେ ବୋଲି ବିଜେପି ନେତା ରୀତା ବହୁଗୁଣା ଯୋଶୀ କହିଛନ୍ତି। ଏନେଇ ସଚ୍ଚିନଙ୍କ ସହ ଫୋନ୍ ଯୋଗେ ଆଲୋଚନା ହୋଇଛି ବୋଲି ମଧ୍ୟ ରୀତା ଦାବି କରିଛନ୍ତି।

ରୀତାଙ୍କ ଦାବିକୁ ଖଣ୍ଡନ କରି ସଚ୍ଚିନ ପାଇଲଟ କହିଛନ୍ତି ଯେ, ରୀତା ବହୁଗୁଣା ଯୋଶୀ ବୋଧହୁଏ ସଚ୍ଚିନ ତେନ୍ଦୁଲକରଙ୍କ ସହ କଥା ହୋଇଥିବେ। ମୋ ସହିତ କଥା ହେବା ପାଇଁ ତାଙ୍କର ସାହସ ନାହିଁ।

ସୂଚନାଯୋଗ୍ୟ, ସଚ୍ଚିନ ପାଇଲଟଙ୍କୁ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ଯଥାଶୀଘ୍ର ପୂରଣ କରୁ ବୋଲି ଗତକାଲି ବିଜେପିରେ ଯୋଗ ଦେଇଥିବା ଜିତିନ କହିଛନ୍ତି। ଅନ୍ୟପଟେ ସଚ୍ଚିନ ଦଳ ଛାଡ଼ିବା ନେଇ ଉଠିଥିବା କଥା ସତ ନୁହେଁ ବୋଲି କଂଗ୍ରେସର ଉଚ୍ଚସ୍ତରୀୟ ସୂତ୍ର କହିଛିି। ଏଥିସହିତ ସଚ୍ଚିନଙ୍କର କିଛି ଦାବି ପୂରଣ କରାଯାଇଛି ବାକି ରହିଥିବା ଆଉ କିଛି ଆଗାମୀ ଦିନରେ ପୂରଣ କରାଯିବ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।