କରୋନାକୁ ମାତ ଦେଇ ଡିସେମ୍ବର ୧୯ରୁ ସୁଟିଂ କରିବେ ବରୁଣ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ କିଛିଦିନ ପୂର୍ବରୁ ଚଣ୍ଡୀଗଡ଼ରେ ଫିଲ୍ମ ‘ଯୁଗ ଯୁଗ ଜିୟୋ’ ସୁଟିଂ କରୁଥିବା ସମୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କିନ୍ତୁ ଏବେ ବରୁଣଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ସୂଚନା ମିଳିଛି। ଆଉ ବରୁଣ ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି। ଏଥିସହିତ ଆସନ୍ତା ୧୯ ତାରିଖରୁ ବରୁଣ ଚଣ୍ଡୀଗଡ଼ରେ ପୁଣିଥରେ ‘ଯୁଗ ଯୁଗ ଜିୟୋ’ ଫିଲ୍ମର ସୁଟିଂ କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଫିଲ୍ମର ସୁଟିଂ ସମୟରେ ବରୁଣ, ନୀତୁ କପୁର ଓ ରାଜ ମେହେତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ପରେ ବରୁଣ ଓ ରାଜ ଚଣ୍ଡୀଗଡ଼ରେ ନିଜକୁ ଆଇସୋଲେଟ କରିନେଇଥିଲେ। କିନ୍ତୁ ନୀତୁଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ଅଣାଯାଇଥିଲା। ଏଥିସହିତ ଫିଲ୍ମର ଅନ୍ୟ କଳାକାର ଅନିଲ କପୁର ଓ କିୟାରା ଆଡଭାନୀ ମୁମ୍ବାଇ ଫେରି ଆସିଥିଲେ। ୧୯ରୁ ଫିଲ୍ମର ସୁଟିଂ ଆରମ୍ଭ ହେଉଥିବାରୁ ନୀତୁ , ଅନିଲ ଓ କିୟାରା ୧୮ରେ ଚଣ୍ଡୀଗଡ଼ ପହଂଚିବେ। କିନ୍ତୁ ଏଥର ସମସ୍ତ ପ୍ରକାର ସାବଧାନାତାକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି।