ଦିଲ୍ଲୀରେ କରୋନା ଟିକା ନେବା ପରେ ୫୨ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ଵ ପ୍ରତିକ୍ରିୟା

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଟିକା ନେଇଥିବା କିଛି ଲୋକଙ୍କ ଠାରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇଛି। କିନ୍ତୁ ଦେଶରେ ଟିକା ନେଇ ସେଭଳି କିଛି ବଡ଼ଧରଣର କ୍ଷତି ହୋଇ ନଥିବା ଜଣାପଡ଼ିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଟିକା ନେବା ପରେ ୫୨ ଜଣଙ୍କ ଠାରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇଛି। ଏମାନଙ୍କ ମଧ୍ୟରୁ କେବଳ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି।

ଗତକାଲି ଠାରୁ ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସଫେଇ କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଥିଲା। କିନ୍ତୁ କିଛି ସ୍ଥାନରେ ଟିକା ନେବା ପରେ ସାମାନ୍ୟ ଅଭିଯୋଗ ମଧ୍ୟ ଆସିଛି। ଏଥିରେ ୨ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଟିକା ନେବାର ଅଳ୍ପ ସମୟ ପରେ ଏଲାର୍ଜୀ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ କିଛି ଲୋକ ବ୍ୟସ୍ତ ହୋଇଯାଇଛନ୍ତି।

ଜାତୀୟ ରାଜଧାନୀ ଦିଲ୍ଲୀର ୧୧ଟି ଜିଲ୍ଲାରେ ୮୧୧୭ ଜଣଙ୍କୁ ଟିକା ଦିଆଯିବାର ଥିଲା। କିନ୍ତୁ ୪୩୧୯ ଜଣ କର୍ମଚାରୀ ଟିକା ନେଇଥିଲେ। ଏଥିରୁ ୫୨ ଜଣଙ୍କ ଠାରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେବଳ ୨ଟି ଜିଲ୍ଲାରେ ପାର୍ଶ୍ଵ ପ୍ରତିକ୍ରିୟା ଖବର ଆସିନାହିଁ। ଉତ୍ତର ଦିଲ୍ଲୀ ଜିଲ୍ଲାରେ ଜଣେ, ଦକ୍ଷିଣ ପୂର୍ବ ଜିଲ୍ଲାରେ ୫ ଜଣ, ଉତ୍ତର ପଶ୍ଚିମରେ ୪ ଜଣ, ପୂର୍ବ ଦିଲ୍ଲୀରେ ୬ ଜଣ, ସେଣ୍ଟ୍ରାଲରେ ୨ ଜଣ, ଦକ୍ଷିଣରେ ୧୧ ଜଣ, ନୂଆଦିଲ୍ଲୀରେ ୫ ଜଣ, ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ୧୧ ଜଣ ଓ ପଶ୍ଚିମ ଜିଲ୍ଲାରେ ୬ ଲୋକଙ୍କ ଠାରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇଥିଲା।