୩ ମାସ ପରେ ଆରମ୍ଭ ହେବ ବାଏପାସ ଟେଣ୍ଡର ପ୍ରକ୍ରିୟା: ନରସିଂହ ମିଶ୍ର

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିରବାସୀଙ୍କ ବହୁ ଦିନର ଦାବି ପୂରଣ ହେବାକୁ ଯାଉଛି। ବାଏପାସ ନିର୍ମାଣ ପାଇଁ ବିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ ଦଳ ବଲାଙ୍ଗିରରୁ ରାଜଧାନୀ ପର୍ଯ୍ୟନ୍ତ ଦୀର୍ଘ ବର୍ଷ ହେବ ଆନ୍ଦୋଳନ ଜାରି ରଖିଥିଲେ। ଶେଷରେ ସବୁ ପ୍ରତିକ୍ଷାର ଅନ୍ତ ଘଟି ବାଏପାସ ନିର୍ମାଣର ବାଟ ଫିଟିଛି। ୩ମାସ ପରେ ବାଏପାସ ନିର୍ମାଣ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି। ବାଏପାସ ନିର୍ମାଣକୁ ନେଇ ଜମି ବନ୍ଦୋବସ୍ତ ସମ୍ବନ୍ଧୀୟ ଯେଉଁ ସମସ୍ୟା ଥିଲା ସେସବୁର ସମାଧାନ ହୋଇଛି ବୋଲି ଶ୍ରୀ ସିଂହ ଉଲ୍ଲେଖ କରିଛନ୍ତି। ଆସନ୍ତା ନଭେମ୍ବର ମାସ ସୁଦ୍ଧା ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ସେ ଜଣାଇଛନ୍ତି। ଏହାସହ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ଲୋକଙ୍କ ଅନ୍ୟ ଏକ ଦାବି ଟ୍ରକ ଟର୍ମିନାଲର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି ପ୍ରକ୍ରିୟା ସେପ୍ଟେମ୍ବର ମାସ ସୁଦ୍ଧା ଶେଷ ହୋଇଗଲେ ଟ୍ରକ ଟର୍ମିନାଲ କାମ ମଧ୍ୟ ଆରମ୍ଭ ହୋଇଯିବ।

ସେହିପରି ବଲାଙ୍ଗିରର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ ଆରମ୍ଭକୁ ନେଇ ମଧ୍ୟ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଲୋୟର ସୁକତେଲ ସମ୍ବନ୍ଧୀୟ ସମସ୍ତ ଅଧିକାରୀଙ୍କୁ ନେଇ ହେଉଥିବା ବୈଠକମାନଙ୍କରେ ଲୋକଙ୍କୁ ଠିକ୍ ହିସାବରେ ବିସ୍ଥାପନ, କ୍ଷତିପୂରଣ ଓ ପୁର୍ନବାସ ଉପରେ ହୃଦୟତାର ସହ କାମ କରିବାକୁ ସେ କହିଛନ୍ତି। ଏହାସହ ଲୋୟର ସୁକତେଲ ବିସ୍ଥାପିତମାନଙ୍କ ପୁର୍ନବାସ, ଥଇଥାନ ପାଇଁ ସହର ଉପକଣ୍ଠରେ ତିଆରି ହୋଇଥିବା କଲୋନୀମାନଙ୍କରେ ଯେପରି ସମସ୍ତ ପ୍ରକାର ମୋ÷÷ଳିକ ସୁବିଧା ଠିକ୍ ହିସାବରେ ମିଳିବ ତା’ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।