ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଛତାବରାରେ ଅଙ୍ଗନବାଡି କର୍ମୀଙ୍କ ରାସ୍ତାରୋକ ୧୮ ଘଣ୍ଟା ପରେ ପ୍ରତ୍ୟାହୃତ ହୋଇଛି । ପୂର୍ବାହ୍ନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଓ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କ ସହ ଆନ୍ଦୋଳନକାରଷ ଅଙ୍ଗନବାଡି କର୍ମୀଙ୍କ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁକମ୍ପା ସହାୟତା ଓ ପରିବାରରୁ ଜଣକୁ ଚାକିରି ପ୍ରଦାନ ପାଇଁ ପ୍ରତିଶ୍ରୁତି ପରେ ରାସ୍ତାରୁ ମୃତଦେହ ହଟିଛି । ଗତକାଲି ସନ୍ଧ୍ୟାରୁ ରାତିସାରା ୫୩ ନମ୍ବର ଜାତୀୟ ରାଜପଥରେ ରିଆମାଳ ବ୍ଲକର ବିଭିନ୍ନ ପଞ୍ଚାୟତର ଅଙ୍ଗନବାଡି କର୍ମୀ ଶବ ରଖି ରାସ୍ତାରୋକ କରିଥିଲେ ।
ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ କୀର୍ତ୍ତନପାଲିରେ ବାଇକ ସ୍କୁଟି ଧକ୍କା ଫଳରେ କୀର୍ତ୍ତନପାଲି ଅଙ୍ଗନବାଡି କର୍ମୀ ଗୀତାଞ୍ଜଳି ବେହେରା ଜୀବନ ହାରିଥିଲେ । ସେଥିପାଇଁ ମୃତକଙ୍କ ପରିବାରକୁ ସହାୟତା ଦାବୀ କରି ଅଙ୍ଗନବାଡ଼ି କର୍ମୀ ରାସ୍ତାରୋକ କରିଥିଲେ।